ଅର୍ଗସ ବ୍ୟୁରୋ: ବିରଜା ହାଟରେ ବ୍ୟବସାୟୀଙ୍କ ଧମକ ଦେବା ମାଡ଼ ମାରିବା ପଡ଼ିଲା ମହଙ୍ଗା । ଜେଲ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଭଵ ଓ ତାଙ୍କ ସମର୍ଥକ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଛି । ଯାହାକୁ ଆଧାର କରି ଶୁକ୍ରବାର ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୋଲିସ । ଆଜି ସକାଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କୁ ଗିରଫ କରାଯାଇ ଏସ୍ଡିଜେଏମ୍ଙ୍କ ବାସଭବନ ହାଜର କରାଯାଇଥିଲା । ପରେ ଲଲଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଯାଜପୁର ସବ୍ଜେଲକୁ ପଠାଇ ଦିଆଯାଇଛି ।
ସେପଟେ ଯାଜପୁର ଜିଲ୍ଲାରେ ବବି ଦାସ ଓ ତାଙ୍କ ଭାଇ ଭଵଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ପ୍ରଶାସନର ବଡ଼ ଆକ୍ସନ ପରେ ନିଆଁ ବାଣ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଘଟଣାକୁ ନେଇ କହିଛନ୍ତି- ପୋଲିସ ସରକାରୀ ଦଳର ବୋଲକରା ଭାବେ କାମ କରୁଛି । ବିଧାୟକ ହିମାଂଶୁ ସାହୁଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ମଧ୍ୟ ବିଜେପି ଓ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା । ଏପରିକି ବିରଜା ପ୍ରକଳ୍ପକୁ ବିଜେପି ବିରୋଧ କରୁଥିବାର ଅଭିଯୋଗ କରିଛନ୍ତି । ଯାହାର କଡା କାଉଣ୍ଟର ରଖିଛନ୍ତି ଖୋଦ୍ ହିମାଂଶୁ ଓ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ । ହିମାଂଶୁ କହିଛନ୍ତି, ବିରଜା ପ୍ରକଳ୍ପ ଅଧିକ ଭଲରେ ହେଉ ବିଜେପି ତାହା ଚାହେଁ । କିନ୍ତୁ ବିରଜା ପ୍ରକଳ୍ପ ନାଁ ଉଠେଇ ଲୋକଙ୍କୁ ଭଣ୍ଡାଉଛନ୍ତି ବିଜେଡି ନେତା । ବବି ଓ ଲଲ ଦୁଇ ଭାଇଙ୍କ ପକେଟ ଗରମ କମି ଯାଇଛି ସେଥିପାଇଁ ବାଉଳା ହେଉଛନ୍ତି । ବବି ଦାସଙ୍କ ଭାଇ ଗିରଫଦାରୀ ଘଟଣାକୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।