ସୁବର୍ଣ୍ଣପୁର: ବାଇକରେ ବୁହାହେଳା ଶବ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ । ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିବାରୁ ବାଇକରେ ବୁହାହୋଇ ମୃତଦେହ ନିଆଯାଇଛି । ଅର୍ଥାଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ଶବ ନେଲେ ପରିବାର ବର୍ଗ । ବିନିକା ସହର ପାତିକାରପଡ଼ାର ବିଦ୍ୟାଧର ନାଏକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ ।
ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିବାରୁ ଘରକୁ ମୃତଦେହ ନେବା ପାଇଁ ଅର୍ଥାଭାବ ଯୋଗୁଁ ବେସରକାରୀ ଗାଡି କରି ପାରିନଥିଲେ । ଶେଷରେ ବାଧ୍ୟ ହୋଇ ଘରକୁ ମୃତକଙ୍କ ସମ୍ପର୍କୀୟ ବାଇକରେ ନେଇଯାଇଥିଲେ । ବିନିକା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ମହାପ୍ରୟାଣ ଗାଡ଼ି ନଥିବାରୁ ବାଧ୍ୟହୋଇ ବିନିକା ମେଡ଼ିକାଲରୁ ନିଜ ଘର ପାତିକାରପଡ଼ା ପର୍ୟ୍ୟନ୍ତ ବାଇକରେ ବୋହି ନେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିବାରୁ ଅନେକ ଏହିପରି ସାଇକେଲ, ବାଇକ ଓ ଖନ୍ଦରେ ବୋହି ନେଇଥିବା ନଜିର ରହିଛି । ଏଣୁ ପ୍ରଶାସନ ତୁରନ୍ତ ବିନିକାକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।