ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ପ୍ରଚାର ମଇଦାନରେ MVA ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚଣ୍ଡ ପ୍ରହାର । ମହା-ବିକାଶ-ଅଘାଡ଼ି ମେଣ୍ଟକୁ ରାଜ୍ୟରେ ଦୁର୍ନୀତିର ସବୁଠାରୁ ବଡ଼ ଖେଳାଳି କହି ତୀବ୍ର ସମାଲୋଚନା କରିଛନ୍ତି ମୋଦି । ପୁଣେ, ଚନ୍ଦ୍ରପୁର ଓ ଚିମୁରରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଏହାର ସହଯୋଗୀ ଦଳ ଚନ୍ଦ୍ରପୁର ଅଞ୍ଚଳକୁ ନକ୍ସଲବାଦର ଗଡ଼ ବନାଇବାକୁ ପ୍ରୟାସ କରିଥିଲେ । ରାଜ୍ୟର ଦଳିତ ଓ ପଛୁଆ ବର୍ଗକୁ ଶୋଷଣ କରିବାକୁ ଦୁର୍ନୀତିର ସବୁ ସୀମା ଡେଇଁ ଯାଇଥିବା ମହା-ବିକାଶ-ଅଘାଡ଼ିକୁ ଆସନ୍ତା 20 ତାରିଖରେ ଜବାବ ଦେବାକୁ ଆହ୍ବାନ ଦେଇଛନ୍ତି ମୋଦି । ରାଜ୍ୟର ମହିଳା, ଯୁବକ ଓ କୃଷକଙ୍କ ପ୍ରଗତି ପାଇଁ ସଂକଳ୍ପ ପତ୍ରରେ 25 ବଡ଼ ଘୋଷଣା କରିଛି ବିଜେପି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି ।
ସେପଟେ ରାତି ପାହିଲେ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ ଝାଡ଼ଖଣ୍ଡବାସୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ବୁଥ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ 81ରୁ 43ଟି ବିଧାନସଭା ଆସନରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସଢେଇକଳା, ରାଞ୍ଚି, ଜାମସେଦପୁର ପୂର୍ବ ଓ ପଶ୍ଚିମ ସହ ଜଗନ୍ନାଥପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଚାର ମଇଦାନରେ NDA ଓ INDI ମେଣ୍ଟ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିବାବେଳେ ଏବେ ଜନତା ନିଷ୍ପତ୍ତି ନେବାର ସମୟ ଆସିଯାଇଛି ।
ଝାଡ଼ଖଣ୍ଡର ମୋଟ 2 କୋଟି 6 ଲକ୍ଷ ଭୋଟରଙ୍କ ମଧ୍ୟରେ 1 କୋଟି 31 ଲକ୍ଷ ପୁରୁଷ ଓ 1 କୋଟି 29 ଲକ୍ଷ ମହିଳା ଭୋଟରଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ କରିଛନ୍ତି ଜୋରଦାର ପ୍ରୟାସ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ସହ ମହାରାଷ୍ଟ୍ରର ସମସ୍ତ 288 ଆସନରେ ହେବାକୁ ଯାଉଛି ମତଦାନ । ନଭେମ୍ବର 23ରେ ଉଭୟ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ଉପରେ ଦେଶବାସୀଙ୍କ ନଜର ରହିଛି ।