ଅର୍ଗସ ବ୍ୟୁରୋ: ଭାରତର ସମ୍ବିଧାନକୁ 75 ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ହେଲା ସଂସଦରେ ସ୍ବତନ୍ତ୍ର ଆଲୋଚନା। ଆଜି ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ସମ୍ବିଧାନ ପ୍ରସଙ୍ଗରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ମୋଦି କହିଛନ୍ତି ଜରୁରୀସ୍ଥିତି ସମୟରେ ସମ୍ବିଧାନକୁ ଦଳିମକଚି ଦେଇଥିଲା କଂଗ୍ରେସ ଦଳ। 1975 ମସିହାରେ ସମ୍ବିଧାନର 25 ତମ ବର୍ଷରେ ସାରା ଦେଶକୁ ଜେଲ୍ ଖାନା କରିଦେଇଥିଲେ । 1975ରେ 39 ତମ ସମ୍ବିଧାନ ସଂଶୋଧନ କରିଥିଲେ ଇନ୍ଦିରା। କଂଗ୍ରେସର ଏହି ପାପ କେବେ ବି ଧୋଇବ ନାହିଁ । ନେହରୁଙ୍କଠାରୁ ରାଜୀବ ଗାନ୍ଧୀଙ୍କ ଯାଏଁ ସମସ୍ତଙ୍କୁ କରିଛନ୍ତି ଜୋରଦାର ଟାର୍ଗେଟ। କହିଛନ୍ତି ଗତ ୬ ଦଶନ୍ଧି ଭିତରେ ୭୫ ଥର ବଦଳାଯାଇଛି ସମ୍ବିଧାନ।
ନେହେରୁ ଯେଉଁ ପରମ୍ପରା ଆରମ୍ଭ କରିଥିଲେ ତାହାକୁ ଇନ୍ଦିରା ଓ ରାଜୀବ ଗାନ୍ଧୀ ବଜାୟ ରଖିଥିଲେ। ଦଶନ୍ଧି ଦଶନ୍ଧି ଧରି ଯେଉଁମାନେ ସମ୍ବିଧାନର ଅସମ୍ମାନ କରିଛନ୍ତି ସେମାନଙ୍କ ମୁହଁରେ ସମ୍ବିଧାନ ଶୋଭା ପାଉନି ବୋଲି କହିଛନ୍ତି ପିଏମ। ପ୍ରଧାନମନ୍ତ୍ରୀ ସମ୍ବିଧାନ ନିର୍ମାତାଙ୍କ ତପସ୍ୟାର ଉଲ୍ଲେଖ କରି କହିଲେ ସେମାନଙ୍କ ପରିଶ୍ରମକୁ ମାଟିରେ ମିଶାଇବାକୁ ଉଦ୍ୟମ କରାଗଲା। ଏହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିଶ୍ବାସଘାତ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଗଣତନ୍ତ୍ରର ଜନନୀ।
ଆମର ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ। ଭାରତ ପ୍ରଥମରୁ ହିଁ ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ଦେଇଥିଲା। ଏବେ ସଂସଦରେ ଲଗାତାର ମହିଳାଙ୍କ ସଂଖ୍ୟା ବଢ଼ିଚାଲିଛି। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେ ପ୍ରସଙ୍ଗରେ ମୋଦି କହିଲେ, ଆମେ ବିବିଧତାକୁ ପାଳନ କରୁ, କିନ୍ତୁ ଗୁଲାମି ମାନସିକତାରେ ବଢ଼ିଥିବା ଲୋକେ ବିବିଧତାରେ ବିରୋଧାଭାସ ଖୋଜନ୍ତି। ଏମିତି ଲୋକେ ବିବିଧତା ଭିତରେ ବିଷାକ୍ତ ମଞ୍ଜି ପୋତିବାର ପ୍ରୟାସ କରିଆସିଛନ୍ତି, ଯାହା ଫଳରେ ଏକତା ପ୍ରଭାବିତ ହେବ। ଧାରା 370 ଦେଶର ଏକତା ବାଟରେ ପ୍ରତିବନ୍ଧକ ପାଲଟିଥିଲା, ଏଥିପାଇଁ ଆମେ ଧାରା 370କୁ ମାଟିରେ ପୋତିଦେଲୁ।