ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ଭୂତାଣୁ । ଏହାକୁ ଦୃଷ୍ଟିରେ ଓୟୁଏଟି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ବିଭିନ୍ନ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ଆବେଦନର ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି।
ଏଥିସହ ପ୍ରବେଶିକା ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୬ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ କୋରୋନାର ଆତଙ୍କ ଯୋଗୁଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏନେଇ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ ଫି’ ୨୧ ତାରିଖ ପର୍ଯ୍ୟନ୍ତ ଦାଖଲ କରିହେବ। ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଗଲା ବୋଲି ସେ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।