ଯାଜପୁର : ବିଲରେ ଚାଷ କରିବ, କିନ୍ତୁ ମୃତ୍ୟୁ ପରେ ବି ମିଳିବନି ଚାଷୀର ପରିଚୟ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାର୍ପୂର ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତରେ। ରମାକାନ୍ତ ମଲିକ ନାମକ ଜଣେ ଚାଷୀ ବନ୍ୟା ପାଣିରେ ଫସଲ ନଷ୍ଟ ହେବା କାରଣରୁ ଆତ୍ମହତ୍ୟା କରିଛନ୍ତି। ସେପଟେ ଆତ୍ମହତ୍ୟାର ମାସେ ବିତିଯାଇଥିଲେ ମଧ୍ୟ ରମାକାନ୍ତଙ୍କୁ ମିଳିନି ଚାଷୀର ପରିଚୟ । ସରକାରୀ ସହାୟତା ଦାବିରେ ଦୌଡିଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।
ସୂଚନା ଅନୁସାରେ, ଚଳିତ ବର୍ଷ ବନ୍ୟାରେ ଖରସ୍ରୋତା ନଦୀରେ ଘାଇ ସୃଷ୍ଟି ହୋଇ ବିଞ୍ଝାରପୁର ବ୍ଲକ ପାଖାପାଖି ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଥିଲା । ଏହି ବ୍ଲକର ବରପଦା ପଞ୍ଚାୟତର ଚାଷୀ ରମାକାନ୍ତଙ୍କ ଚାଷ ନଷ୍ଟ ହେବା ଫଳରେ ସେ ଚାଷଜମି ପାଖରେ ଥିବା ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଚାଷ ନଷ୍ଟ ହେବା ଫଳରେ ନିଜର ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଆତ୍ମହତ୍ୟାର ମାସେ ବିତିଯାଇଥିଲେ ମଧ୍ୟ ରମାକାନ୍ତଙ୍କୁ ମିଳିନି ଚାଷୀର ପରିଚୟ । ସରକାରୀ ସହାୟତା ଦାବିରେ ଦୌଡିଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ସେପଟେ ସରପଞ୍ଚ କୌଣସି କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର ।
ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବନିର୍ମାଣ କୃଷକ ସଂଘଠନର ଉପଦେଷ୍ଟା । ସେ କହିଛନ୍ତି, ଯେଉଁଠି କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା ରାମକାନ୍ତଙ୍କ ଘରେ ପହଞ୍ଚି ପାରୁଛି, ସେଠି ରାଜ୍ୟ ସରକାରରଙ୍କ ଆବାସ ଯୋଜନା କାହିଁକି ପହଞ୍ଚି ପାରୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ରମାକାନ୍ତଙ୍କ ଘରର ଅବସ୍ଥା ମଧ୍ୟ ବେଶ ଶୋଚନୀୟ । ମୁଣ୍ଡ ଗୁଞ୍ଜିବାକୁ ନାହିଁ ଜାଗା । ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି ପରିବାର । ସେପଟେ ଚାଷୀ ଆତ୍ମହତ୍ୟାକୁ ନେଇ ବିଧାୟକଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ବର୍ଗ। ଏ ନେଇ ଆମର ସାପ୍ତାହିକ କାର୍ଯ୍ୟକ୍ରମ ଉତ୍ତରଦାୟୀରେ ପ୍ରସଙ୍ଗ ଉଠାଇଥିଲେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ।