ଅର୍ଗସ ବ୍ୟୁରୋ: 2 ବର୍ଷ ପରେ ପୁଣି ଚର୍ଚ୍ଚାରେ କାଳିଆ । ଓଡିଶା ଚାଷୀଙ୍କୁ ମିଳିଲା କାଳିଆ ଯୋଜନାର ତୃତୀୟ କିସ୍ତି । 53 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ତେବେ ଆରମ୍ଭରୁ ହିଁ ବିବାଦ ଘେରରେ ରହିଥିବା କାଳିଆରେ କିନ୍ତୁ ଅନେକ ଯୋଗ୍ୟ ଚାଷୀ ବଞ୍ଚିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବରପଦର ଗାଁର ସୁରୁ ସିଂ ନିନା,କାଳିଆ ଯୋଜନାର ଆଧାରରେ ସହାୟତା ପାଇବା ପାଇଁ ଯୋଗ୍ୟ । ତେଣୁ ଅନେକ ଥର ଆବେଦନ ମଧ୍ୟ କରିଥିଲେ । କାଳିଆ ଟଙ୍କା ମିଳିବ ବୋଲି ପଞ୍ଚାୟତ ଅଫିସ କାନ୍ଥରେ ନାମ ବି ଅଛି । ହେଲେ ବିଡମ୍ବନା ସୁରୁ ସିଂ ନିନାଙ୍କୁ କାଳିଆ ଟଙ୍କା ମିଳିନି । ସେହିପରି ବ୍ରହ୍ମଗିରିର ବ୍ଲକର ଚାଷୀ ମୁରଲୀ ସାହୁ । ତାଙ୍କର ଚାଷ ଜମି ଅଛି, ଏପରିକି କାଳିଆ ଯୋଜନା ତାଲିକାରେ ନାଁ ମଧ୍ୟ ଉଠିଛି । ହେଲେ ମୁରଲୀଙ୍କୁ ବି କାଳିଆ ସହାୟତା ମିଳୁନି । ବରଗଡ ଜିଲ୍ଲା କଳାପାଣି ଅଞ୍ଚଳର ଚାଷୀ ସୁରେଶ ନିକାଣ୍ଟିଙ୍କର ମଧ୍ୟ ସମାନ ଅବସ୍ଥା । କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଁ ହିତାଧିକାରୀ ତାଲିକାରେ ତାଙ୍କର ନାଁ ଆସିଥିଲା । କିନ୍ତୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବା ବେଳେ ଦଳୀୟ ଭିତ୍ତିରେ କାଳିଆ ସହାୟତା ବଣ୍ଟା ଯାଉଛି ବୋଲି ଅଭିଯୋଗ କରିଛନ୍ତି ସୁରେଶ ।
ଯୋଜନା ଆରମ୍ଭ କଲାବେଳେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତୁ 2019 ଜୁଲାଇରେ ସରକାର କହିଲେ,ପ୍ରଥମ କିସ୍ତରେ 51 ଲକ୍ଷ 5 ହଜାର 290 ଚାଷୀଙ୍କୁ 5 ହଜାର ଲେଖାଏଁ ଟଙ୍କା ଦିଆଯାଇଛି । ତେବେ ତିନିମାସ ପରେ ଅର୍ଥାତ ସେପେମ୍ୱର 2019ରେ କୃଷିମନ୍ତ୍ରୀ ବିଧାନସଭାରେ ପୁଣି କହିଲେ ପ୍ରଥମ କିସ୍ତିରେ 48ଲକ୍ଷ 65 ହଜାର 53 ଚାଷୀ କାଳିଆ ଟଙ୍କା ପାଇଛନ୍ତି । ସେହିପରି ଦ୍ୱିତୀୟ କିସ୍ତିରେ 45 ଲକ୍ଷ 77 ହଜାର 822 ଚାଷୀଙ୍କୁ ସରକାର ଦେଇଥିଲେ କାଳିଆ ସହାୟତା । ଅର୍ଥାତ ପ୍ରଥମ କିସ୍ତି ପାଇଥିବା ଚାଷୀଙ୍କ ମଧ୍ୟରୁ 5 ଲକ୍ଷ 27 ହଜାର 468 ଜଣ ଚାଷୀଙ୍କୁ ଦିତୀୟ କିସ୍ତି ଟଙ୍କା ମିଳିନଥିଲା । ତେବେ ସବୁଠୁ ଅଡୁଆ ଆଣିଥିଲା ଅଯୋଗ୍ୟଙ୍କୁ ଟଙ୍କା ହସ୍ତାନ୍ତର । କୃଷି ମନ୍ତ୍ରୀ କହିଥିଲେ 3 ଲକ୍ଷ 41 ହଜାର ଅଯୋଗ୍ୟଙ୍କୁ ଟଙ୍କା ଦିଆଯାଇଛି । ସରକାର ଟଙ୍କା ଫେରାଇବା ପାଇଁ ନୋଟିସ ବି ଜାରି କରିଥିଲେ । ସେପଟେ ପୁଣି ଏକ ପ୍ରଶ୍ନର ଉତ୍ତରେ କୃଷି ମନ୍ତ୍ରୀ କହିଲେ ପ୍ରଥମ କିସ୍ତିରେ 1 ଲକ୍ଷ 1 ହଜାର 151 ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ କିସ୍ତିରେ 1 ଲକ୍ଷ 408 ଜଣ ଚାଷୀ ଅଯୋଗ୍ୟ ଅଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ସରକାରଙ୍କ କାଳିଆ ଯୋଜନାକୁ ଅଧିକ ଗୋଳମାଳିଆ କରିଥିବା ବେଳେ ଏବେ ଅଲଗା ଅଲଗା ତଥ୍ୟ ଦେଇ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।