କୋହଳ କଟକଣା ଭିତରେ ମୁରୁକି ମୁରୁକି ହସିବା ଆରମ୍ଭ କରିଛି ପାନ ଚାଷୀ । ବାତ୍ୟା ଓ କୋରୋନା କୋପରେ ଯୁଝି ହେଉଥିବା ପାନ ଚାଷୀ ଏବେ ଅଣ୍ଟା ସଳଖି ଛିଡା ହୋଇଛି । ପୁରୀ କାକଟପୁର ନୟାହାଟ ବଜାରରେ ଥିବା ପାନ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗିଦେଇଥିଲା ବାତ୍ୟା ଫୋନି ଓ ଅମ୍ଫାନ । ଏହାପରେ ମହାମାରୀ କରୋନା ଦାଉ ସାଧିଥିଲା । ଉଜୁଡିଥିଲା ଲକ୍ଷଲକ୍ଷ ଟଙ୍କାର ବେପାର । ଫଳରେ ହତାଶ ହୋଇପଡିଥିଲେ ଚାଷୀ କୂଳ । ମାତ୍ର ଏବେ ସାମାନ୍ୟ କୋହଳ କଟକଣା ପରେ ପାନ ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଗାଡି ମଟର ଯାଆସ କରିବାରୁ ପାନର ଦର ଦାମ ମଧ୍ୟ ବଢିଛି । ଯାହା ଫଳରେ ପାନ ଚାଷୀ ପରିବାରରେ ଆନନ୍ଦ ଫେରିଥିବା କହିଛନ୍ତି ଚାଷୀକୂଳ ।
ଯଦିଓ ସ୍ବଭାବିକ ହୋଇଛି ପାନ ବଜାର ତଥାପି ଚାଷୀ ମନରେ ଦୁଃଖ । କାରଣ ଏହି ସଙ୍କଟ ସମୟରେ କିଛି ଚାଷୀ ପାନ ବର୍ଜରେ ଟଙ୍କା ଖର୍ଚ୍ଚ ନ କରିପାରିବାରୁ ହତାଶ ହୋଇପଡିଛନ୍ତି । ଅନ୍ୟପଟେ ପୁଣି ଥରେ ଚାଷ ପାଇଁ ଟଙ୍କାର ଆବଶ୍ୟକତା ରହିଛି । ଆଉ ଠିକ୍ ଏହି ସମୟରେ କେନ୍ଦ୍ର ସରକାରଙ୍କ ପାନ ବର୍ଜ ସହାୟତା ରାଶି 2 ଲକ୍ଷ ଟାଙ୍କା ବେଶ ସହାୟକ ହେବ ବୋଲି ଆଶାବାଦୀ ଅଛନ୍ତି ପାନ ଚାଷୀ ।