ଇଚ୍ଛାଶକ୍ତି ଆଗରେ ହାର ମାନିନି ବୟସ । ପରିଣତି ବୟସରେ ବି ପରିଶ୍ରମ କରି ହୋଇପାରିଛନ୍ତି ସଫଳ ଚାଷୀ । ପାରମ୍ପରିକ ପଦ୍ଧତିରେ ଚାଷ କରି ଟାଙ୍ଗର ଭୂମିରେ ଫଳାଇଛନ୍ତି ସବୁଜ ପନିପରିବା । କେନ୍ଦୁଝର ଜିଲ୍ଲା ବାଲାଗଡା ପଂଚାୟତ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ନିମତୁର ଗ୍ରାମର ଆଦିବାସୀ ଚାଷୀ ୬୫ ବର୍ଷୀୟ କାହ୍ନୁରାମ ହନହଗା । ନିଜ ବାଡିରେ ଥିବା ପ୍ରାୟ ଏକରେ ଜମିରେ କରିଛନ୍ତି ଚାଷ । ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଝରଣାର ଧାରାକୁ ବଦଳାଇ ଜମିକୁ ମଡାଇଛନ୍ତି ପାଣି । ଆଉ ଋତୁ ଅନୁସାରେ ପନିପରିବା ସହ ଧାନଚାଷ କରୁଛନ୍ତି ।
କାହ୍ନୁରାମ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ତାହା ନିଅଣ୍ଟ ହେବାରୁ ସେ ଚାଷବାସ ପାଇଁ ମନ ବଳାଇଥିଲେ । ଏହାପରେ ନିଜର ବୁଦ୍ଧି ଖଟାଇ ଝରଣା ଜଳକୁ ଚାଷ ଜମିରେ ମଡାଇ ଚାଷ କରି ସୁନାର ଫସଲ ଫଳାଇଥିଲେ । ଆଉ କ୍ଷେତରୁ ବାହାରୁଥିବା ଫସଲକୁ ବଜାରରେ ବିକ୍ରି କରିଥାନ୍ତି କାହ୍ନୁ । ତେବେ କିଛିଟା ସରକାରୀ ସହାୟତା ମିଳିଲେ ସେ ଆହୁରି ଉନ୍ନତି କରିପାରନ୍ତେ ବୋଲି କହିଛନ୍ତି ।
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକି ଆଜି କରି ଦେଖାଇଛନ୍ତି କାହ୍ନୁ । ଦୃଢ ଇଚ୍ଛାଶକ୍ତି ଯୋଗୁ ଜମିରେ ଝରଣା ପାଣି ମଡାଇବା ସହ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ । ଆଉ ଆଜି ସଫଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାହ୍ନୁ ।