ସଂରକ୍ଷଣ ଅଭାବ ଯୋଗୁଁ ମିଳୁନି ଉଚିତ୍ ମୂଲ୍ୟ । ଚିନ୍ତାରେ ପିଆଜ ଚାଷୀ । ଓଡ଼ିଶାର ପିଆଜ ଉତ୍ପାଦନ ଜିଲ୍ଲା ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା । ଜିଲ୍ଲାର ଗୋଳାମୁଣ୍ଡା, ଧର୍ମଗଡ, ଜୁନାଗଡ ଓ କୋକସରାର ପ୍ରାୟ 70 ଭାଗ ଚାଷୀ ପିଆଜ ଚାଷ କରନ୍ତି । ହେଲେ ପିଆଜ ସଂରକ୍ଷଣ ଅଭାବ ଯୋଗୁଁ 50 କିଲୋ ପିଆଜ ବସ୍ତା ପ୍ରତି 350ରୁ 400 ଟଙ୍କାରେ ଚାଷୀ ଦଲାଲକୁ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ନିଜ ପାରିଶ୍ରାମିକ ପାଉନି ଚାଷୀ ।
ବିଗତ ଦିନ ମାନଙ୍କରେ ପ୍ରାକୃତିକ ଦୁର୍ବିପାକ କାଳ ବୈଶାଖୀ ଓ ଝଡ ବର୍ଷା ଯୋଗୁଁ କ୍ଷତି ସହିଛି ପିଆଜ ଚାଷୀ । ଚଳିତ ବର୍ଷ ଠିକ ଦରରେ ପିଆଜ ବିକ୍ରି କରି ପରିବାର ପୋଷିବା ଆଶା ରଖିଥିବାବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପୁଣି ଅଭାବି ବିକ୍ରିର ଶିକାର ହୋଇଛି ଚାଷୀ । ଅନ୍ୟପଟେ ଧର୍ମଗଡ ଉପଖଣ୍ଡରେ 4 କୁଇଣ୍ଟାଲ ପିଆଜ ଚାଷ ହୋଇଥିବାବେଳେ ପ୍ରାୟ 10 ହଜାର କୁଇଣ୍ଟାଲ ପିଆଜ ଅମଳ ହେବାର ଆଶା ରଖାଯାଇଛି ।
ଏଥି ସହ ପିଆଜ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା କରାଯାଇଛି ବୋଲି ଧର୍ମଗଡ କୃଷି ଉଦ୍ୟାନ ଉପ ନିର୍ଦ୍ଦେଶକ କହିଛନ୍ତି । ମୁଣ୍ଡଫଟା ଖରାରେ ଝାଳବୁହା ପରିଶ୍ରମ କରୁଥିବା ପିଆଜ ଚାଷୀ ପାଉନି ନିଜ ପାରିଶ୍ରାମିକ । ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ସମାଧାନ କରିବା ଜରୁରୀ ।