ଅର୍ଗସ ବ୍ୟୁରୋ - ପ୍ରକାଶ ପାଇଛି ଗତ ସେପ୍ଟେମ୍ବରରେ ଭାରତରେ ସବୁଠୁଁ ଅଧିକ ବିକ୍ରି ହୋଇଥିବା ୧୦ କାର୍ର ତାଲିକା । ଏଥିରେ ସବୁଠୁଁ ଆଗରେ ରହି ରେକର୍ଡ଼ କରିଛି ରାଷ୍ଟ୍ରାୟାତ ଉଦ୍ୟୋଗ ମାରୁତି ସୁଜୁକି । ଗତ ଦୁଇ ମାସ ଧରି ତାଲିକାର ସବା ଉପରେ ମାରୁତି ସୁଜୁକି ରହିଥିବାର ଜଣାପଡ଼ିଛି । ମାରୁତିର ବିଭିନ୍ନ ମଡ଼େଲ ମଧ୍ୟରୁ ୭ ଟି ମଡ଼େଲ୍ ଗ୍ରାହକଙ୍କର ସବୁଠୁଁ ପସନ୍ଦର ଯାନ ପାଲଟି ବିଭିନ୍ନ ସ୍ଥାନ ଅଧିକାର କରିଛି ।
ଏବେ ଆସନ୍ତୁ ଦେଖିବା ବିକ୍ରିରେ କେଉଁ କମ୍ପାନୀର ୧୦ ଟି ମଡ଼େଲ ସବୁଠୁଁ ଆଗରେ ରହିଛି ।
୧-ମାରୁତି ସୁଜୁକି ସ୍ୱିଫ୍ଟ୍ – ମାରୁତି ସୁଜୁକି ତରଫରୁ ନିର୍ମାଣ ହେଉଥିବା ତୃତୀୟ ପିଢ଼ି ବା ଥାର୍ଡ଼ ଜେନେରେସନ୍ର ସ୍ୱିଫ୍ଟ୍ କାର ସବୁଠୁଁ ଉପରେ ରହିଛି । ସେପ୍ଟେମ୍ବରରେ ଏହାର ବିକ୍ରି ସଂଖ୍ୟା ରହିଛି ୨୨, ୬୪୩ । ଗତ ବର୍ଷ ବା ୨୦୧୯ ର ଏହି ମାସରେ ସ୍ୱିଫ୍ଟ୍ ମାତ୍ର ୧୨, ୯୩୪ ଟି ୟୂନିଟ୍ ବିକ୍ରି ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ଏବଂ ସେପ୍ଟମ୍ବରରେ ଏହାର ବିକ୍ରିରେ ରେକର୍ଡ଼ ସ୍ତରର ଉନ୍ନତି ଘଟିଛି ।
୨-ମାରୁତି ସୁଜୁକି ବାଲେନୋ – ଗତ ଅଗଷ୍ଟ ମାସରେ ୬ ନମ୍ବର ସ୍ଥାନରେ ଥିବା ମାରୁତି ସୁଜୁକିର ବାଲେନୋ ଏଥର ଦ୍ୱିତୀୟ ସ୍ଥାନକୁ ଆସିଛି । ସେପ୍ଟେମ୍ବରରେ ବିକ୍ର୍ରି ହୋଇଛି ୧୮, ୨୪୬ ୟୂନିଟ୍ । ଗତ ବର୍ଷ ଏହି ମାସ ତୁଳନାରେ ଏହାର ବିକ୍ରିରେ ଏଥର ୨୧ ପ୍ରତିଶତ ଉନ୍ନତି ଘଟିଛି ।
୩-ମାରୁତି ସୁଜୁକି ଅଲ୍ଟୋ – ଗତ ସେପ୍ଟେମ୍ବରରେ ମାରୁତି ସୁଜୁକିର ଅଲ୍ଟୋ ମଡ଼େଲ ବିକ୍ରି ଛୁଇଁଛି ୧୮, ୨୪୬ ୟୂନିଟ୍ । ଗତ ବର୍ଷ ଏହି ମାସ ତୁଳନାରେ ଏବେ ଏହାର ବିକ୍ରିରେ ମଧ୍ୟ ୨୧ ପ୍ରତିଶତ ବୃଦ୍ଧି ଘଟିଛି ।
୪-ମାରୁତି ସୁଜୁକି ୱାଗନ୍ ଆର୍ – ସେପ୍ଟେମ୍ବରରେ ମାରୁତି ସୁଜୁକି ୱାଗନ୍ ଆର୍ ମଡ଼େଲ କାରର ବିକ୍ରି ଛୁଇଁଛି ୧୭, ୫୮୧ ୟୂନିଟ୍ । ଗତ ବର୍ଷ ଏହି ମାସ ତୁଳନାରେ ଏହାର ବିକ୍ରିରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।
୫-ମାରୁତି ସୁଜୁକି ଡିଜାୟାର୍- ସେପ୍ଟେମ୍ବରରେ ମାରୁତି ସୁଜୁକିର ଏହି ସେଡ଼ାନ୍ ମଡ଼େଲଟିର ବିକ୍ରି ହୋଇିଛି ୧୩, ୯୮୮ ୟୂନିଟ୍ । ତେବେ ଗତ ବର୍ଷ ଏହି ମାସରେ ଏହାର ବିକ୍ରି ୧୫, ୬୬୨ ଥିବାରୁ ଗ୍ରାହକଙ୍କ ଚାହିଦା କମିଥିଲେ ବି ଚଳିତ ସେପ୍ଟେମ୍ବରରେ ଏହା ୫ ନମ୍ବର ସ୍ଥାନରେ ରହିଛି ।
୬-ହୁଣ୍ଡାଇ କ୍ରେଟା- ଭାରତୀୟ ବଜାରରେ ସବୁଠୁଁ ଅଧିକ ଚାହିଦା ଥିବା ଏସ୍ୟୂଭି ବା ସ୍ପୋର୍ଟସ ୟୂଟିଲିଟି ଭେଇକିଲ୍ ମଡେଲ ହେଉଛି ହୁଣ୍ଡାଇ କମ୍ପାନୀର କ୍ରେଟା । ଗତ ସେପ୍ଟେମ୍ବରରେ ଏହାର ବିକ୍ରି ପହଂଚିଥିଲା ୧୨, ୩୨୫ ୟୂନିଟ୍ରେ ଏବଂ ବିକ୍ରିରେ ଏହାର ସ୍ଥାନ ରହିଛି ୬ ଷ୍ଠ ସ୍ଥାନରେ ।
୭-ମାରୁତି ସୁଜୁକି ଇକୋ – ଗତ ସେପ୍ଟେମ୍ବରରେ ୧୧, ୨୨୦ ୟୂନିଟ୍ ବିକ୍ରି କରି ମାରୁତି ସୁଜୁକିର ଇକୋ ମଡ଼େଲ ୭ ନମ୍ବର ସ୍ଥାନରେ ରହିଥିବାର ଜଣାପଡ଼ିଛି । ଗତ ବର୍ଷ ଏହି ମାସ ତୁଳନାରେ ଏହାର ବିକ୍ରିରେ ୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
୮-ହୁଣ୍ଡାଇ ଗ୍ରାଣ୍ଡ୍ ଆଇ ଟେନ୍ – ହୁଣ୍ଡାଇ ଗ୍ରାଣ୍ଡ୍ ଆଇ ଟେନ୍ର ବିକ୍ରି ସେପ୍ଟେମ୍ବରରେ ରହିଛି ୧୦, ୩୮୫ ୟୂନିଟ୍ ଏବଂ ଏହା ୮ମ ସ୍ଥାନ ଗ୍ରହଣ କରିଛି । ଗତ ବର୍ଷ ଏହି ମାସ ତୁଳନାରେ ଏଥିରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି ।
୯- ମାରୁତି ସୁଜୁକି ଏର୍ଟିଗା – ସେପ୍ଟେମ୍ବରରେ କାର ବିକ୍ରିରେ ୯ମ ସ୍ଥାନ ଅଧକାର କରିଛି ମାରୁତି ସୁଜୁକି ଏର୍ଟିଗା । ଏହାର ବିକ୍ରି ସଂଖ୍ୟା ରହିଛି ୯,୯୮୨ ୟୂନିଟ୍ ।
୧୦- ହୁଣ୍ଡାଇ ଆଇ ଟ୍ୱେଂଟି ଏଲାଇଟ୍ – ଗତ ସେପ୍ଟେମ୍ବରରେ ୯, ୮୫୨ ୟୂନିଟ୍ ବିକ୍ରି କରି ହୁଣ୍ଡାଇ ଆଇ ଟ୍ୱେଂଟି ଏଲାଇଟ୍ ରହିଛି ୧୦ମ ସ୍ଥାନରେ ।