ତାଙ୍କ ଡ୍ୟାନ୍ସ ଷ୍ଟେପରେ ନାଚିବାକୁ ପସନ୍ଦ କରୁଥିଲେ ଅନେକ ସେଲିବ୍ରିଟି । ଶ୍ରୀଦେବୀଙ୍କ ପପୁଲାର ଗୀତ ହାୱା ହାୱାଇ ହଉ କି ମାଧୁରୀଙ୍କ ଧକ୍ ଧକ୍ କରେନା ଲଗା ସବୁଠି ଥିଲା ସରୋଜଙ୍କ ଯାଦୁ । ଆଜି ତାଙ୍କ ପରଲୋକରେ ତାଙ୍କୁ ଝୁରୁଛି ପୁରା ବଲିଉଡ ଇଣ୍ଡଷ୍ଟ୍ରି । ମାଧୁରୀ ଦିକ୍ଷିତ ସରୋଜ ଖାନଙ୍କ ପରଲୋକ କବର ପାଇ ସେ ପୁରାପୁରି ଭାଙ୍ଗି ପଡ଼ିଥିବା କହିଛନ୍ତି । ତେବେ ସରୋଜ ଖାନ ଜଣେ କୋରିଓଗ୍ରାଫର ଭାବରେ କେବଳ ବଲିଉଡ ଫିଲ୍ମ ପାଇଁ ନୁହେଁ ହଲିଉଡ ଫିଲ୍ମ ପାଇଁ ମଧ୍ୟ କାମ କରିଥିଲେ ।
ସରୋଜ ଖାନଙ୍କ ଖୁବ୍ କମ୍ ପ୍ରଶଂସକ ଜାଣିଥିବେ ଯେ ସେ ହଲିଉଡ ଫିଲ୍ମରେ କୋରିଓଗ୍ରାଫର ଭାବରେ କାମ କରିଥିଲେ। ଏହି ହଲିଉଡ ଫିଲ୍ମର ନାମ ହେଉଛି ‘ଗାନ୍ଧୀ ମର୍ଡର’ଏହା ଗତ ବର୍ଷ ରିଲିଜ ହୋଇଥିଲା। ୨୦୧୬ରେ ସରୋଜ ଖାନ ନିଜେ ଏକ ସାକ୍ଷାତକାରରେ ଏ ବିଷୟରେ କହିଥିଲେ।
ଅନ୍ୟପଟେ ସରୋଜ ଖାନଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଥିଲା । ସରୋଜ ଖାନଙ୍କ ମୃତ୍ୟୁ ପରେ ଏବେ ଏହି ଶେଷ ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଏହି ପୋଷ୍ଟରେ କୋରିଓଗ୍ରାଫର ସରୋଜ ଖାନ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ତୁମ ସହ କେବେ କାମ କରି ନ ଥିଲି, କିନ୍ତୁ ଆମେ ଅନେକ ଥର ସାକ୍ଷାତ କରିଛୁ । ତୁମ ଜୀବନରେ କ’ଣ ଭୁଲ୍ ହୋଇଛି ? ମୁଁ ଆଶ୍ଚର୍ଯ୍ୟ ଯେ ତୁମେ ତୁମ ଜୀବନରେ ଏପରି କଠୋର ପଦକ୍ଷେପ ନେଇପାରିଛ । ଆପଣ କୌଣସି ବୟସ୍କ ବ୍ୟକ୍ତିଙ୍କ ସହ କଥା ହୋଇପାରନ୍ତି, ଯିଏ ଆପଣଙ୍କୁ ସାହାଯ୍ୟ କରିପାରିଥାନ୍ତେ । ଭଗବାନ ତୁମର ଆତ୍ମାକୁ ବିଶ୍ରାମ ଦିଅନ୍ତୁ ଏବଂ ମୁଁ ଜାଣେ ନାହିଁ ତୁମର ପିତା ଏବଂ ଭଉଣୀ ଏହି ସମୟକୁ କିପରି ସହ୍ୟ କରୁଛନ୍ତି । ସେମାନଙ୍କୁ ଭଗବାନ କରୁଣା ଏବଂ ଶକ୍ତି ପ୍ରଦାନ କରନ୍ତୁ । ମୁଁ ତୁମର ସମସ୍ତ ଚଳଚ୍ଚିତ୍ରକୁ ଭଲ ପାଏ ଏବଂ ତୁମକୁ ସବୁବେଳେ ଭଲ ପାଉଥିବି RIP ସୁଶାନ୍ତ ।
ତେବେ ବଲିଉଡରେ ବେଶ୍ ଲୋକପ୍ରିୟ ଥିବା ଏହି କୋରିଓଗ୍ରାଫର ସରୋଜ ଖାନଙ୍କର ପ୍ରକୃତ ନାମ ଥିଲା ନିର୍ମଳା ନାଗପାଳ । ୧୯୪୮ ମସିହା ନଭେମ୍ବର ୨୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବାପା ଥିଲେ କିଶନଚାନ୍ଦ ସାଧୁ ସିଂହ ଓ ମାଆ ନୋନି ସାଧୁ ସିଂହ । ୧୯୪୭ ମସିହାରେ ବିଭାଜନ ବେଳେ ତାଙ୍କ ପରିବାର ପାକିସ୍ତାନରୁ ଭାରତକୁ ଆସିଥିଲେ । ମାତ୍ର ତିନି ବର୍ଷ ବୟସରେ ସେ ‘ନଜରାନା’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୩ ବର୍ଷରେ ବାହା ହୋଇଥିଲେ ସରୋଜ ।
କୋରିଓଗ୍ରାଫର ସରୋଜ ନୃତ୍ୟ ଗୁରୁ ସୋହନ ଲାଲଙ୍କଠାରୁ ନୃତ୍ୟ ଶିିକ୍ଷା କରିଥିଲେ । କିନ୍ତୁ ଏ ହି ସମୟରେ ସେ ନିଜ ଗୁରୁଙ୍କର ନିକଟତର ହୋଇଯାଇଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ତାଙ୍କୁ ବିବାହ କରିଥିଲେ ଓ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେହି ସମୟରେ ସୋହନ ଲାଲଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ସେ ବିବାହିତ ଓ ୪ଟି ପିଲାର ବାପା ଥିଲେ ବୋଲି ସରୋଜଙ୍କୁ ଜଣା ନ ଥିଲା ।
୧୪ ବର୍ଷ ବୟସରେ ସରୋଜ ମାଆ ହୋଇଥିଲେ । ତାଙ୍କ ପ୍ରଥମ ସନ୍ତାନ ହମିଦ ଖାନ ଜନ୍ମ ହୋଇଥିଲେ । ହମିଦ ଏବେ ବଲିଉଡରେ ରାଜୁ ଖାନ ନାମରେ ବେଶ୍ ଜଣାଶୁଣା । କିନ୍ତୁ ସେତେବେଳେ ସୋହନଲାଲ ରାଜୁଙ୍କୁ ପିତୃ ପରିଚୟ ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ସେ ପୂର୍ବରୁ ବିବାହିତ ଥିବା ସରୋଜ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଦୁହଁଙ୍କ ଭିତରେ ମତାନ୍ତର ହେଲା । ୧୯୬୫ରେ ସରୋଜ ସୋହନଲାଲଙ୍କଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ତାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ।
ପରବର୍ତ୍ତୀ ସମୟରେ ସୋହନଲାଲଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ସେମାନେ ପୁଣି ଏକାଠି ହୋଇଥିଲେ । ସେତେବେଳେ ତାଙ୍କର ଆଉ ଜଣେ ଝିଅ ହିନା ଖାନ ଜନ୍ମ ହୋଇଥିଲେ । ପରେ ସୋହନଲାଲ ସରୋଜ ଓ ଦୁଇ ପିଲାଙ୍କୁ ଛାଡି ମାଡ୍ରାସ ଚାଲିଯାଇଥିଲେ । ସରୋଜ ସର୍ଦ୍ଦାର ରୋସନ ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରୋସନ ଓ ସରୋଜଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ତାଙ୍କ ନାଁ ସୁକୈନ ଖାନ ଯେ କି ଏବେ ଦୁବାଇରେ ଏକ ଡ୍ୟାନ୍ସ ସ୍କୁଲ କରିଛନ୍ତି ।