କଟକ : କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଦିବ୍ୟସିଂହଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।
କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିଲେ। ଏହାସହ ସେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ। କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣିଙ୍କ ହତ୍ୟା ଘଟଣାରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଳମଣିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଖବର ଶୁଣି ସେ ଅତ୍ୟନ୍ତ ମର୍ମାହିତ ବୋଲି କହିବା ସହ ଶୋକ ପ୍ରକାଶ କରିଛନ୍ତି । କୁଳମଣି ଜଣେ ଅତି ସରଳ ଓ ନିଷ୍ଠାପର ସାମାଜିକ କର୍ମକର୍ତ୍ତା ଥିଲେ । ସାମାଜିକ ଜୀବନରେ ମତ ପାର୍ଥକ୍ୟ ରହିବ କିନ୍ତୁ ହିଂସା ଓ ହତ୍ୟାଠାରୁ ଦୁଃଖଦ କିଛି ନଥାଇପାରେ ବୋଲି ସେ କହିଛନ୍ତି । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।