ବାଲେଶ୍ୱର: ଘରୋଇ କଳିରୁ ବୀଭତ୍ସ ହତ୍ୟା । ବାଲେଶ୍ୱର ସୋର ଥାନା ବାହାନଗାରେ 16 ନଂ ଜାତୀୟ ରାଜପଥ ନିକଟ ଇଚ୍ଛାପୁର ନିକଟରେ ବୀଭତ୍ସ ହତ୍ୟା ଘଟିଛି । ୨୨ ବର୍ଷୀୟ ସାନ ପୁଅକୁ ଦୀର୍ଘ ୧୧ ଦିନ ତଳେ ଉଭୟ ମା ଏବଂ ବଡ଼ ପୁଅ ମାରି ଘରେ ପୋତି ଦେଇଥିଲେ । ମୃତକ ବଳରାମ ଜେନାଙ୍କ ସ୍ତ୍ରୀ ଲକ୍ଷୀ ଜେନା ସୋର ଥାନାରେ ଲିଖିତ ଅଭିୟୋଗ ପରେ ପୋଲିସ ପହଞ୍ଚିଛି। ଏହାପରେ ପୋଲିସ ଅଭିଯୁକ୍ତ ମାଆ ଓ ପୁଅଙ୍କୁ ଗିରଫ କରିନେଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଖୋଳି ପୋଲିସ ବାହାର କରିଥିଲା। ଏହାସହ ପୋଲିସ ଆଗରେ ଅଭିଯୁକ୍ତ ବଡଭାଇ କ୍ରାଇମସିନ୍ ରିକ୍ରିଏସନ କରିଥିଲା । ପୂରା ହତ୍ୟାର କାହାଣୀ ଦେଖାଇଥିଲା ।
ସୂଚନା ଅନୁସାରେ, ଗତ ୧୨ ତାରିଖ ରାତି ୧୧ ଟା ସମୟରେ ମଦ ପିଇ ସାନପୁଅ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମାଆ ଏବଂ ପୁଅଙ୍କ ମଧ୍ୟରେ ବଚଷା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିବା ପରେ ମାଆ ଶୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ଜେନା ମଦ୍ୟାପ ସାନ ପୁଅ ବଳରାମ ଜେନାଙ୍କୁ ଶାବଳ ସାହାଯ୍ୟରେ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ହିଁ ବଳରାମର ମୃତ୍ୟୁ ଘଟିଥିଲା । ବଳରାମର ମୃତ୍ୟୁ ପରେ ତାକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ମାଆ ଓ ବଡ ପୁଅ ପୋତି ଦେଇଥିଲେ । ଘଟଣାକୁ ନେଇ କିଛି ଜଣାପଡିନଥିଲା । ୧୧ ଦିନ ପରେ ଭାଇର ଶୁଦ୍ଧକ୍ରିୟା କରି ବଡ଼ ଭାଇ ଜଗବନ୍ଧୁ ଫେରିବା ପରେ ଗାଁ ଲୋକେ ଜାଣିଥିଲେ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ବରକୁ ପଠାଇଛି ପୋଲିସ ।
ଏବେ ପ୍ରଶ୍ନ ଉଠୁଛି, ଏମିତି କଣ ଘଟିଲା, ପୁଅକୁ ହତ୍ୟା ପାଇଁ ବାଧ୍ୟ ହେଲା ମାଆ ? କେମିତି ହତ୍ୟା ପରେ ମୃତଦେହକୁ ଲୁଚାଇ ରଖିଥିଲେ ପରିବାର ?