ମାସେ ହେଲା ନିଖୋଜ ଅଛନ୍ତି 70 ବର୍ଷୀୟା ସାଇବାଣୀ ମଳିକ । ଗୁଣି ଗାରେଡି ସନ୍ଦେହରେ କେହି ତାଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଥାନାର ଦ୍ୱାରସ୍ତ ହୋଇଛନ୍ତି ବୃଦ୍ଧାଙ୍କ ଝିଆରୀ ହେମଲତା । ହେଲେ ଦୀର୍ଘ ଦିନ ପରେ ବି ସାଇବାଣୀଙ୍କ ଖୋଜ ଖବର ପାଉନି ପୋଲିସ ।
ଅଭିଯୋଗ ଅନୁସାରେ, 2016 ମସିହାରୁ ଗାଁର କିଛି ଲୋକ ଗୁଣି ଗାରେଡି ସନ୍ଦେହ କରି ସାଇବାଣୀଙ୍କ ପରିବାରକୁ ଧମକ ଚମକ ଦେଉଥିଲେ । ଏନେଇ ଥାନାରେ ମାମଲା ବି ରୁଜୁ ହୋଇଥିଲା । ଏଥିରେ ଦୁଇ ଜଣ ଗିରଫ ହେବା ପରେ ବେଲରେ ଆସି ପୁଣି ହଇରାଣ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ଗତ ଅକ୍ଟୋବର 12 ତାରିଖରୁ ସାଇବାଣୀ କେଉଁଆଡେ ନିଖୋଜ ହୋଇଯାଇଥିଲେ ।
ଦିଗପହଣ୍ଡି ପୋଲିସ ନିକଟରେ ସାଇବାଣୀଙ୍କ ନିଖୋଜ ଏବଂ ହତ୍ୟାକୁ ନେଇ ଲିଖିତ ଅଭିଯୋଗ କରିଥିଲେ ଝିଆରୀ ହେମଲତା । କିନ୍ତୁ ପାଖାପାଖି ଗୋଟେ ମାସ ବିତିଗଲାଣି । ପୋଲିସ କୌଣସି ଟେର ପାଉନି । ତେଣୁ ପୁଣିଥରେ ହେମଲତାଙ୍କ ସହ ବିଜେପିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସ୍ପିଙ୍କୁ ଭେଟିଛନ୍ତି । ତେବେ ଖୁବ ଶୀଘ୍ର ଦିବ୍ୟାଙ୍ଗ ବୃଦ୍ଧାଙ୍କ ପତ୍ତା ମିଳିବ, ସେ ନେଇ ପୋଲିସ ଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ।