
କଟକ: ଜେଲରୁ ହେଉଛି ଭିଡିଓ କଲିଂ । ଜେଲରେ ରହି ଗ୍ୟାଙ୍ଗଷ୍ଟରମାନେ ସିଧାସିଧା ଭିଡିଓ କଲିଂ ମାଧ୍ୟମରେ ହେଉଛନ୍ତି କଥା । ଭିତରେ ରହି କରୁଛନ୍ତି ଅପରାଧ ନିୟନ୍ତ୍ରଣ । ଏପରି କଥା କହି ଜେଲ ବିଭାଗର ଅସଲ ଗୁମର ଖୋଲିଲେ କଟକ ଡିସିପି ଅଖିଳେଶ୍ୱର ସିଂ । କହୁ କହୁ କହିଦେଲେ ଜେଲର ଭିତିରି କଥା । ଜେଲରେ ରହିଛି ପ୍ରୋବ୍ଲେମ । ଜେଲରୁ ନିୟନ୍ତ୍ରଣ ହେଉଛି ଅପରାଧ । ଅପରାଧୀମାନେ ଜେଲରୁ ହିଁ ଗ୍ୟାଙ୍ଗକୁ ପରିଚାଳନା କରୁଛନ୍ତି । ଗଣମାଧ୍ୟମ ଆଗରେ ଏପରି କହି ଜେଲ ଭିତରର ଗୁମର ଖୋଲିଦେଲେ କଟକ ଡିସିପି ଅଖିଳେଶ୍ୱର ସିଂ ।
ଜେଲକୁ କିପରି ଯାଉଛି ମୋବାଇଲ ? ଅପରାଧିମାନେ କିପରି ଭିଡିଓ କଲ କରୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । କଟକର ଗ୍ୟାଙ୍ଗଷ୍ଟର ସକିଲ ଗ୍ୟାଙ୍ଗର ଦୁଇ ଜଣ ସୁନ୍ଦରୀ ତଥା ସକିଲର ଗାର୍ଲଫ୍ରେଣ୍ଡଙ୍କୁ ଗିରଫ କରିବା ପରେ ଆଜି 3 ନମ୍ବର ଗାର୍ଲ ଫ୍ରେଣ୍ଡକୁ ମଧ୍ୟ ଧରିବାକୁ ସକ୍ଷମ ହୋଇଛି ପୋଲିସ । କେବଳ କସିଲ ନୁହେଁ, ଅନ୍ୟ ଗ୍ୟାଙ୍ଗଷ୍ଟରମାନଙ୍କୁ ପୋଲିସ ଧରି ଜେଲରେ ଭର୍ତ୍ତି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେମାନେ ଜେଲ ଭିତରେ ଥାଇ ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଛନ୍ତି । ମୋବାଇଲରେ ଗ୍ୟାଙ୍ଗଷ୍ଟରମାନେ ନିଜ ପରିବାର, ଆତ୍ମୀୟ ଓ ସଂପର୍କୀୟଙ୍କ ଜରିଆରେ ଗ୍ୟାଙ୍ଗକୁ ସକ୍ରୀୟ ରଖୁଛନ୍ତି ବୋଲି କହିଛନ୍ତି କଟକ ଡିସିପି ।
ଏଠାରେ ପ୍ରଶ୍ନ ଉଠୁଛି, ଜେଲ ଭିତରକୁ ମୋବାଇଲ ଯାଉଛି କେମିତି । କିଏ ଦେଉଛି ମୋବାଇଲ । ଜେଲ ଭିତରେ ସିସିଟିଭି ଲାଗିଥିଲେ ମଧ୍ୟ ତାହାକୁ ଠିକ ଭାବେ ମନିଟର କରାଯାଉଛି କି ନାହିଁ । କାମ କରୁଛି କି ନାହିଁ ଜେଲ ଜାମର । କେବଳ ମୋବାଇଲ ନୁହେଁ, ଜେଲ ଭିତରକୁ ମଦ, ଗଞ୍ଜେଇଠାରୁ ଆରମ୍ଭ କରି ଯାବତୀୟ ନିଶାଦ୍ରବ୍ୟ ଯାଉଥିବାର ଅଭିଯୋଗ ହୋଇଆସୁଛି । ଯାଞ୍ଚ ସମୟରେ ବହୁ ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି । ଏହା ପରେ ମଧ୍ୟ ଜେଲ କର୍ତ୍ତୃପକ୍ଷଙ୍କର ନିଜ ଭାଙ୍ଗୁ ନାହିଁ କାହିଁକି । ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପୋଲିସ ପକ୍ଷରୁ ବାରମ୍ବାର ଅବଗତ କରାଯାଉଛି । ମାତ୍ର ଜେର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ସାଙ୍ଘାତିକ କଥା କହିଛନ୍ତି ଡିସିପି । ଯଦି ଜେଲ କର୍ତ୍ତୃପକ୍ଷ ସତର୍କ ରହିବେ, ତେବେ ଅପରାଧୀମାନେ ଆଉ ଗ୍ୟାଙ୍ଗ ପରିଚାଳନା କରିପାରିବେ ନାହିଁ ।
