କଟକ: ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ପ୍ରି ପ୍ଲାନ୍ଡ ମର୍ଡର । ଗୋଟିଏ ପରେ ଗୋଟିଏ ଖୁଲାସା ହତ୍ୟାର ସନ୍ଦେହକୁ ବଢାଇଛି । ଆଜି ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରଫୁଲ୍ଲ ବିଶ୍ବାଳଙ୍କ ନାବାଳକ ପୁଅ । କହିଛନ୍ତି 5 ତାରିଖ ଦିନ ଫୋନ୍ କରିଥିଲେ ପ୍ରଫୁଲ୍ଲ ।
କହିଲେ ମାମାକୁ କହିବୁ ମୁଁ ଟେନସନ୍ରେ ଅଛି ମୋ ଆକ୍ସିଡେଣ୍ଟ ହେଲେ କାହାକୁ ଦାୟୀ କରିବ ନାହିଁ । ଆଉ ସେହି 5 ତାରିଖରେ ହିଁ ମୃତ କୁଳମଣି ବରାଳ ଙ୍କ ପୁଅ ରମାକାନ୍ତଙ୍କୁ ଫୋନ୍ କରିଥିଲେ ପ୍ରଫୁଲ୍ଲ । ଆଉ କହିଥିଲେ ନନା ମୋ ପିଲା ଓ ଭାଇ ପିଲା ତମକୁ ଲାଗିଲେ । ପ୍ରତାପ ଜେନା ଆମକୁ ଫସାଇ ଦେଲେ ।
ଏବେ ବଡ଼ ପ୍ରଶ୍ନ ଆକ୍ସିଡେଣ୍ଟ ସଂପର୍କରେ ଆଗରୁ କେମିତି ଜାଣିଲେ ପ୍ରଫୁଲ୍ଲ, ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲେ କି ପ୍ରଫୁଲ୍ଲ, ତାଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ରର ସୁରାକ୍ ପାଇଥିଲେ ବି ପ୍ରଫୁଲ୍ଲ, ଆଉ ସେହି ସୁରାକ୍ ସେ ଦେଇଥିଲେ ରମାକାନ୍ତଙ୍କୁ ଓ ତାଙ୍କ ପୁଅକୁ , କାହିଁକି ପୋଲିସ ପାଖରେ ସରେଣ୍ଡର କଲେନାହିଁ ପ୍ରଫୁଲ୍ଲ, ନା ପ୍ରଫୁଲ୍ଲଙ୍କୁ ଲୁଚାଇ ରଖାଯାଇଥିଲା, ପ୍ରତାପ ଜେନାଙ୍କ ପରିବାର ମାଲିକାନାରେ ଥିବା ଟ୍ରାନସପୋର୍ଟ ଅଫିସରେ ରଖାଯାଇନଥିଲା ତ, ସେହିଠାରେ ହିଁ ରଚାଯାଇଥିଲା କି ଷଡଯନ୍ତ୍ର, ପ୍ରଫୁଲ୍ଲଙ୍କ ସଢୁ ଅରୁପାନନ୍ଦ ଜେନା କେମିତି ଜାଣିଲେ ଅଜଣା ଟ୍ରକ୍ ଧକ୍କାରେ ହେଲା ମୃତ୍ୟୁ, ନା ବିଜେଡି ନେତା ଅରୁପାନନ୍ଦ ନିଜ ଦଳର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଞ୍ଚାଇବା ପାଇଁ ଏତଲାରେ ଏକଥା ଉଲ୍ଲେଖ କଲେ, ଏଇଥି ପାଇଁ ଯେହେତୁ ମନ୍ତ୍ରୀ ପ୍ରତାପ ଜେନା ଏଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ।
ଏସବୁ ପ୍ରଶ୍ନ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଫୁଲ୍ଲଙ୍କ ହେଲମେଟ, ଗାଡ଼ି ଓ ମୋବାଇଲ ସୁରକ୍ଷିତ ରହିଥିଲା । କିନ୍ତୁ ତାଙ୍କର ଏଭଳି ବିଭତ୍ସ ଭାବ୍ୟ ମୃତ୍ୟୁ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏଇ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ।
ପୁରା ଘଟଣାରେ ପୋଲିସର ଭୂମିକା ବି ସନ୍ଦେହ ଘେରରେ । 302 ଦଫା ଲାଗିଥିଲେ ବି କାହିଁକି ତଦନ୍ତ ପରିସରକୁ ଆସିନାହାନ୍ତି ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ୍ଲଙ୍କ କଲ୍ ଡିଟେଲ୍ସ ଯାଞ୍ଚ ହେବ କି, କେଇଁ ସ୍ଥାନରୁ ପ୍ରଫୁଲ୍ଲ କଲ୍ କରିଥିଲେ ଖୋଜିବ କି ପୋଲିସ, ପ୍ରଫୁଲ୍ଲ ସହିତ ଆଉ କିଏ ଥିଲା କି, ଏସବୁ ପ୍ରଶ୍ନର ଉତ୍ତର ଗୃହ ବିଭାଗ ଦିଅନ୍ତୁ ।