ବ୍ରହ୍ମପୁର: ବ୍ରହ୍ମପୁରରେ ଠକ 420। ବିଦେଶରେ ଚାକିରୀ କରାଇଦେବା ନାଁରେ ମହାଠକେଇ। ଭୁବନେଶ୍ୱରରୁ ଠକକୁ ଗିରଫ କଲା ବଡବଜାର ପୋଲିସ। ଶିକ୍ଷିତ ଯୁବତୀ ଯୁବକଙ୍କୁ ବିଦେଶରେ ନିଯୁକ୍ତି ଦେବା ନାଁରେ ମିଥ୍ୟା ପ୍ରଲୋଭନ ଦେଖାଇ ନକଲି ଅଫର ପ୍ରଦାନ କରି ଠକ 420 ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା । ତେବେ ଶେଷରେ ସେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ୨ବର୍ଷ ହେଲା ବିଦେଶରେ ଚାକିରି ଦେବା ନାଁର ସଞ୍ଜୟ କୁମାର ଜେନା ନାମକ ଜଣେ ବ୍ୟକ୍ତି ଠକେଇର ଜାଲ ବିଛାଇଥିଲା। ସେ ବ୍ରହ୍ମପୁର ଆସି ବିଭିନ୍ନ ହୋଟେଲରେ ରହୁଥିଲା ଏବଂ ଶିକ୍ଷିତ ଯୁବକଙ୍କୁ ବିଦେଶରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲା
ମାଳଦୀପ ଓ ବ୍ରୁନେଇ ଭଳି ଦେଶରେ ମଲ୍ଟିନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ୍ କମ୍ପାନୀରେ ଚାକିରି ଦେବାକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା। ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ମାଳଦୀପରେ ଚାକିରି ଦେବାକୁ କହି ୪୦ ହଜାର ଟଙ୍କା ନେଇଥିଲା। ପରବର୍ତ୍ତୀ ସମୟରେ ଆଉ ୪୦ହଜାର ଟଙ୍କା ଦାବି କରିଥିଲେ । ସଂପୃକ୍ତ ଯୁବକଙ୍କୁ ଅଭିଯୁକ୍ତ ଅଫର ଲେଟର ଓ ଭିସା ବି ଦେଇଥିଲେ। ଶେଷରେ ଏୟାରପୋର୍ଟରେ ଭିସା ଜାଲ ବୋଲି ଜଣାପଡିଥିଲା । ତେବେ ଯୁବକ ଜଣକ ବଡ଼ ବଜାର ଥାନାରେ ଏତଲା ଦେବା ପରେ ଠକେଇର ତଦନ୍ତ କରିବା ସହ ଠକ 420 ସଞ୍ଚୟ କୁମାର ଜେନାକୁ ପୋଲିସ ଭୁବନେଶ୍ବରରୁ ଗିରଫ କରିଛି।
ସଞ୍ଜୟକୁ ଜେରା କରିବା ପରେ ବର୍ତ୍ତମାନ ସୁଦ୍ଧା ସେ ୧୯ଜଣଙ୍କ ଚାକିରି ପାଇଁ ଟଙ୍କା ନେଇଥିବା ଜଣାପଡ଼ିଛି । ପାଖାପାଖି ୮.୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ଯୁବକ ମାନେ ଏହି ଠକେଇର ଶିକାର ହୋଇଥିବା ଜଣାପଡିଛି। ତେବେ ସଞ୍ଜୟକୁ ଗିରଫ ବେଳେ ଗୋଟିଏ ଲାପଟପ୍, ଗୋଟିଏ ମୋବାଇଲ୍ ଫୋନ୍ ହ୍ୟାଣ୍ଡସେଟ୍, ସିମ୍ କାର୍ଡ, ୫ ଗୋଟି ପାସପୋର୍ଟ, ୧୩ ଗୋଟି ଚେକ୍ ବୁକ୍, ୧୩ ଗୋଟି ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ଇ-ମେଲ ଯୋଗାଯୋଗର ସ୍କ୍ରିନସଟ ଏବଂ ବିଭିନ୍ନ ମଲ୍ଟି ନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ କମ୍ପାନି ମାନଙ୍କର ଲେଟର ପ୍ୟାଡ, କମ୍ପାନୀ ଏବଂ ନକଲି ଦଲିଲ ମଧ୍ୟ ଜବତ ହୋଇଥିବା ଜଣା ପଡ଼ିଛି। ଏହି ରାକେଟ ରେ ଆଉ କେଉଁମାନେ ସମ୍ପୁକ୍ତି ଅଛନ୍ତି, ସେ ଦିଗରେ ପୋଲିସ ତଦନ୍ତ କରୁଛି।