ସୂଚନାନାଯୋଗ୍ୟ, ଗତ ମେ ମାସରେ ପୋଲିସ ସୁରକ୍ଷା ବଳୟରେ ଥିବା ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଘଟିଥିଲା ଲୋମହର୍ଷକ ଘଟଣା । କ୍ୟାଣ୍ଟିନରେ କାମ କରୁଥିବା ଆଦିବାସୀ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ପୀଡିତା ମହିଳାଙ୍କ ପରିବାରକୁ ନ ଜଣାଇ ସିଧା ହସ୍ପିଟାଲ ନେଇଯାଇଥିଲା ପୋଲିସ । ପରେ ପୀଡିତାଙ୍କ ସ୍ବାମୀଙ୍କୁ ଖବର ଦିଆଯାଇଥିଲା। ପ୍ରଥମେ ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରେ 11 ତାରିଖ ଦିନ କୋରାପୁଟ ନିଆଯାଇଥିଲା । ସେଠାରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ରେଫର୍ କରିଥିଲେ ଡାକ୍ତର । ଏମକେସିଜି ଯିବା ବାଟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର କଥା ହେଲା, ପରିବାରକୁ ମୃତଦେହ ନଦେଇ ପୋଡି ଦେଇଥିଲା ପୋଲିସ । ଯାହାକୁ ନେଇ ପୋଲିସର ଭୂମିକା ସନ୍ଦେହଜନକ ରହିଛି । ଏଭଳି ସ୍ଥିତିରେ ନ୍ୟାୟ ନ ମିଳିବା ପୋଲିସକୁ କାଠଗଡାରେ ଛିଡା କରିଛି ।
ସେପଟେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କୁ ଜଣାଇବା ସହ ଏସଆଇଟି ଗଠନ ପାଇଁ ଦାବି କରିଥିଲା ଦଳ । ସେହିପରି କଂଗ୍ରେସ ନେତା ପ୍ରଦୀପ ମାଝି ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ପାଇଁ ଏସପିଙ୍କୁ ନିବେଦନ କରିଥିଲେ, କିନ୍ତୁ ଏବେ ସୁଦ୍ଧା ରହସ୍ୟାବୃତ୍ତ ହୋଇ ରହିଛି ପୋଲିସ କ୍ୟାଣ୍ଟିନ ଦୁଷ୍କର୍ମ ଘଟଣା । ତେବେ କାହିଁକି ତରବରିଆ ଭାବେ ପରିବାରକୁ ମୃତଦେହ ହସ୍ତାନ୍ତର ନକରି ପୋଡି ଦେଇଥିଲା ପୋଲିସ ? କାହିଁକି ପୀଡିତାଙ୍କ ସ୍ବାମୀଙ୍କ ଫୋନକୁ ଛଡାଇ ନେଇଥିଲା ପୋଲିସ ? କାହିଁକି ତଦନ୍ତରେ ଜାଣିଶୁଣି ବିଳମ୍ବ କରୁଛି ପୋଲିସ ? ମାଲକାନଗିରି ପୋଲିସ ସନ୍ଦେହଜନକ ଭୂମିକାକୁ ନେଇ ଆହୁରି ରହସ୍ୟାବୃତ୍ତ ହେଉଛି ପୋଲିସ କ୍ୟାଣ୍ଟିନ ଦୁଷ୍କର୍ମ ଓ ହତ୍ୟା ମାମଲା ।