ବ୍ରହ୍ମପୁର: ଏମକେସିଜି ମେଡ଼ିକାଲ କଲେଜ ଖେଳ ପଡିଆ ନିକଟରୁ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ଵାରା 3.5 କିଲୋ ଅଫିମ ସହ 40 ହଜାର ଟଙ୍କା ଜବତ ହୋଇଛି। ହାଡୁବନ୍ଧୁ ସାହୁ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଏକ ସ୍କୁଟି ମଧ୍ୟ ଜବତ ହୋଇଛି।
ଖବର ପାଇ ଆଜି ସକାଳୁ ଏକ ସ୍କୁଟି ଚାଳକ ହାଡ଼ୁବନ୍ଧୁ ସାହୁକୁ ଅଟକାଇ ଯାଞ୍ଚ ବେଳେ ଏହି ଅଫିମ ଜବତ ହୋଇଥିଲା। ସୂଚନା ମୁତାବକ, ଏହି ସମସ୍ତ ଅଫିମ ଆୟୁର୍ବେଦିକ ଫାର୍ମାସୀରେ ଔଷଧ ନିମନ୍ତେ ବ୍ୟବହାର ହେଉଥିବା ବେଳେ ଚୋରା କାରବାରରେ ଆଣି ଗଞ୍ଜାମ ସମେତ ଏହାର ଆଖପାଖ ଅଞ୍ଚଳରେ ଏହି ବ୍ୟକ୍ତି ଜଣକ ବ୍ୟବସାୟ କରୁଥିଲେ ।
ବ୍ୟବସାୟୀ ଜଣକ ପୂର୍ବରୁ ଏକ ଭାଙ୍ଗ ଦୋକାନରେ ସେଲସ ମ୍ୟାନଜର ଭାବେ କାର୍ଯ୍ୟ କରି ଆସୁଥିବାବେଳେ ସେହିଦିନ ଠାରୁ ଏହି ବ୍ୟବସାୟ କରୁଥିବା ଅବକାରୀ ବିଭାଗ ନିକଟରେ ସ୍ୱୀକାର କରିଛି । ତେବେ ଏହି ସମସ୍ତ ଅଫିମର ମୂଲ୍ୟ ୪ ଲକ୍ଷ ପାଖାପାଖି ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।
ଏହି ମାମଲାରେ ଆଜି ଅଭିଯୁକ୍ତ ହାଡ଼ୁବନ୍ଧୁ ସାହୁକୁ ଗିରଫ କରାଯିବା ସହ ସମସ୍ତ ଅଫିମ ଓ ସ୍କୁଟିକୁ ଜବତ କରାଯାଇଛି। ଏହି କାରବାରରେ ଆଉ କେଉଁକେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି ।