ଦାଦାବଟି ମାଗିବା ଅଭିଯୋଗରେ ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଡେନକୁ ଗିରଫ କରିଛି ଦରଘା ବଜାର ଥାନା ପୋଲିସ । ରେଭେନ୍ସା କଲେଜଜିଏଟ ସ୍କୁଲ ଅଞ୍ଚଳରେ ମୁନ୍ନା ଓ ତାର କିଛି ସହଯୋଗୀ ଜଣେ ଜମି ମାଲିକଙ୍କୁ ଦାଦାବଟି ମାଗୁଥିବା ଖବର ପାଇ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ମୁନ୍ନାର କିଛି ସହଯୋଗୀ ଫେରାର ହୋଇଯାଇଥିବା ବେଳେ ମୁନ୍ନାକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ମୁନ୍ନା ଠାରୁ ଗୋଟିଏ ବନ୍ଧୁକ ସମେତ ୬ ରାଉଣ୍ଡ ଗୁଳି ଜବତ କରାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ।
ଟିଟୋର ପ୍ରମୁଖ ସହଯୋଗୀ କୁହାଯାଉଥିବା ମୁନ୍ନା ଲାଡେନ କେବଳ ଯେ କଟକରେ ବଟି ଆଦାୟ କରୁଥିଲା ତାହା ନୁହେଁ କଟକ ସହ କେନ୍ଦ୍ରାପଡା ଓ ଆଖପାଖ ଜିଲ୍ଲାରେ ବି ଘଟାଉଥିଲା ଅପରାଧ । ଅନେକ ସମୟରେ ପୋଲିସକୁ ଚକମା ଦେଇ ଖସି ଯାଉଥିବା ବେଳେ ଏବେ ଦାଦାବଟି ମାମଲାରେ ପୋଲିସ କବଜାକୁ ଆସିଛି ମୁନ୍ନା ଲାଡେନ । ହତ୍ୟା, ଧମକଚମକ ଓ ଅପହରଣ ଭଳି ବହୁ ସଙ୍ଗୀନ ମାମଲା ମୁନ୍ନା ନାଁରେ ରହିଥିବା କହିଛନ୍ତି କଟକ ଡସିପି । ତେବେ ମୁନ୍ନା ଲାଡେନ ଧରାପଡିବା ପରେ ଏବେ କମିଶନରେଟ ପୋଲିସର ସ୍କାନରେ ରହିଛନ୍ତି ମୁନ୍ନାର ସହଯୋଗୀ ।