ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ପରେ ଓଡିଶା ହାଇକୋର୍ଟରେ ଆଜି ହେବ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଶୁଣାଣି । ୨୨ ବର୍ଷ ତଳେ ୧୯୯୯ ମସିହାରେ ବାରଙ୍ଗରେ ଘଟିଥିବା ଏହି ଲୋମହର୍ଷକାରୀ ଦୁଷ୍କର୍ମ ଘଟଣା ପୁଣି ଚର୍ଚ୍ଚାକୁ ଫେରିଛି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ପରେ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା । ବିବନକୁ ଗିରଫ କରିବାକୁ ନେଇ ପୀଡ଼ିତା ଅଞ୍ଜନା ମିଶ୍ର ୨୦୦୨ ମସିହାରେ ମାମଲା ଦାୟର କରିଥିଲେ ।
ଦୁଷ୍କର୍ମ ଘଟଣାରେ ସିଧାସଳଖ ଜଡିତ ଓ ଘଟଣା ପଛରେ ହାତଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ମାମଲା ରୁଜୁ କରିଥିଲେ ଅଞ୍ଜନା । ସେତେବେଳେ ସିବିଆଇକୁ ନୋଟିସ ହେବା ସହ ସିବିଆଇ ମଧ୍ୟ ଜବାବ ଦାଖଲ କରିଥିଲା । ବିବନ ସମ୍ପର୍କରେ ତଥ୍ୟ ପ୍ରଦାନକାରୀଙ୍କୁ ପୁରସ୍କାର ରାଶି ପ୍ରଦାନ ପାଇଁ ଉଲ୍ଲେଖ ରହିଥିଲା ।
ଏହା ପରେ ମାମଲାର ଶୁଣାଣି ଆଉ ବଢି ପାରି ନଥିଲା । ବିବନ ଗିରଫ ହେବା ପରେ ସଂଯୋଗବଶତ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଖଣ୍ଡପୀଠରେ ପୁଣି ଏହି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।