ଢେଙ୍କାନାଳ: ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା। କୋଭିଡ କଟକଣା ଭିତରେ 3 ଦିନ ଧରି ଏହି ବିଶ୍ୱ ପ୍ରସିଦ୍ଧ ମେଳା ଚାଲିବ। ଚଳିତ ବର୍ଷ ବେଶୀ ଲୋକ ଭିଡ ନକରି କେବଳ ପରମ୍ପରା ରକ୍ଷା କରିବାକୁ ମେଳା କରାଯିବ। ଦୋଳି, ଅପେରା, ସିନେମା, କଣ୍ଢେଇ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଶୂନ୍ୟ ମନ୍ଦିର ଭିତରକୁ ମାତ୍ର 50 ଜଣ ଦର୍ଶନାର୍ଥୀଙ୍କୁ ସର୍ବାଧିକ 10 ମିନିଟ ରହିବା ପାଇଁ ଅନୁମତି ମିଳିବ । ସେହିପରି ସୀମିତ ସଂଖ୍ୟକ ଦୋକାନ ବଜାର ଖୋଲିବା ସହ ବାହାରୁ ଜିଲ୍ଲାରୁ ଆସୁଥିବା ମହିମା ଧର୍ମର ଅନୁଗାମୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମେଳା ବିଶ୍ୱ ଇତିହାସ ପୃଷ୍ଠାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମାଘ ଚତୁର୍ଦ୍ଦଶୀ ଦିନ ମହିମା ଧର୍ମର ପ୍ରଚାରକ ପ୍ରଥମ ମହିମା ଗୁରୁଙ୍କ ମହାପ୍ରୟାଣ ହୋଇଥିବାରୁ ଏହି ଦିନକୁ ମହିମା ସାଧୁମାନେ ବିଶେଷ ଢଙ୍ଗରେ ପାଳନ କରୁଥିବାବେଳେ ଶହ ଶହ ବର୍ଷର ପରମ୍ପରା ଏବେ ମେଳାରେ ପରିଣତ ହୋଇଛି । ପ୍ରଥମ ଦିନରେ ମୁଖ୍ୟ ଗାଦି ମନ୍ଦିରରେ 4ଟି ଦ୍ୱାର ସମ୍ମୁଖରେ 30 ଫୁଟ ଉଚ୍ଚର ପିତଳ ଝାଡ଼ବତୀ ଜଳି ଉଠିବ । ଯେଉଁଥିରେ 108ଟି ଦୀପ ଦାଣ୍ଡିରେ ଶୁଦ୍ଧ ଗୁଆ ଘିଅର ଘୃତାହୁତି ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ମହିମା ଧର୍ମରେ କୌଣସି ଦେବାଦେବୀଙ୍କୁ ପୂଜା କରାଯାଏ ନାହିଁ । ଯାହା ସତ୍ୟରେ ଆଧାରିତ ସୂର୍ଯ୍ୟ ଅଗ୍ନିଙ୍କୁ ସେମାନେ ପୂଜା କରିଥାନ୍ତି।
ଚଳିତ ବର୍ଷ କୋଭିଡ ଯୋରନ୍ଦା ମେଳାକୁ ସାମାନ୍ୟ ଫିକା କରିଦେଇଥିବାରୁ ମହିମା ଭକ୍ତ ବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି ।