ଲାଞ୍ଛନା ପାଇଁ କର୍ଣ୍ଣଙ୍କ ବିବାହ ଓ ପ୍ରେମ ଜୀବନ ମଧ୍ୟ ବିକ୍ଷିପ୍ତ ହୋଇଛି ବୋଲି କୁହାଯାଏ। ସମସ୍ତେ ଜାଣନ୍ତି କର୍ଣ୍ଣ ହେଉଛନ୍ତି କୁନ୍ତୀ ଏବଂ ସୂର୍ଯ୍ୟଙ୍କ ପୁତ୍ର। କିନ୍ତୁ କୁମାରୀ ଅବସ୍ଥାରେ କର୍ଣ୍ଣଙ୍କ ଜନ୍ମ ହୋଇଥିବାରୁ କୁନ୍ତୀ ତାଙ୍କୁ ନଦୀରେ ଭସାଇଥିଲେ। ଏହି ସମୟରେ ଭୀଷ୍ମଙ୍କ ସାରଥି ତାଙ୍କୁ ପାଇ ପାଳିଥିଲେ। ଏଣୁ କର୍ଣ୍ଣଙ୍କୁ ସମସ୍ତେ ସୁତ(ସାରଥି) ପୁତ୍ର ବୋଲି କହିଲେ।
ତାଙ୍କ ପାଖରେ ଅସୀମ ବଳ ଓ ଯୋଦ୍ଧାର ଗୁଣ ଥିଲେ ମଧ୍ୟ ସୁତପୁତ୍ରର ଲାଞ୍ଛନା ତାଙ୍କୁ କେବେ ଛାଡି ନ ଥିଲା।
ଏହି କାରଣ ପାଇଁ ସେ ଦୌପଦୀଙ୍କୁ ବିବାହ କରିପାରି ନ ଥିଲେ। ଏବଂ ପରିସ୍ଥିତିରେ ପଡି ଜଣେ ଦାସୀ ପୁତ୍ରୀକୁ ବିବାହ କରିଥିଲେ। ରାଜା ଚିତ୍ରରଥଙ୍କ ଝିଅ ଥିଲେ ଆଶାବରୀ। ଦାସୀ ପଦ୍ମାବତୀଙ୍କ ସହ ଦିନେ ସେ ଜଙ୍ଗଲରେ ବୁଲୁଥିବା ବେଳେ ତାଙ୍କୁ ଦସ୍ୟୁମାନେ ଆକ୍ରମଣ କଲେ। କର୍ଣ୍ଣ ଉଭୟଙ୍କୁ ଦସ୍ୟୁଙ୍କ କବଳରୁ ରକ୍ଷା କଲେ ଏବଂ ରାଜା ଚିତ୍ରରଥଙ୍କ ଆତିଥେୟତା ସ୍ୱୀକାର କଲେ।
ଏହି ସମୟରେ ମନ ଦେଇ ବସିଲେ ରାଜକୁମାରୀ ଆଶାବରୀଙ୍କୁ। କିନ୍ତୁ ରାଜା ଚିତ୍ରରଥ ଉଭୟଙ୍କ ବିବାହ ପ୍ରସ୍ତାବରେ ରାଜି ହେଲେନି। ସୁତପୁତ୍ର ହୋଇଥିବାରୁ ତାଙ୍କ ବିବାହ ସମ୍ଭବ ନୁହେଁ ବୋଲି କହିଲେ। ଫଳରେ କର୍ଣ୍ଣ ଆଶାବରୀଙ୍କ ସ୍ୱୟଂମ୍ବରରେ ପହଞ୍ଚି ସବୁ ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ନିଜ ବୀରତ୍ୱ ପ୍ରଦର୍ଶନ କଲେ। ସମସ୍ତ ରାଜା ହାରିବା ପରେ ଆଶାବରୀ ନିଜ ତରଫରୁ କର୍ଣ୍ଣଙ୍କୁ ବିବାହ କରିବାକୁ ମନ କଲେ। କିନ୍ତୁ କର୍ଣ୍ଣ ତାଙ୍କ ପ୍ରସ୍ତବକୁ ପ୍ରତ୍ୟାକ୍ଷାନ କରି ତାଙ୍କ ଦାସୀ ପଦ୍ମାବତୀଙ୍କୁ ବିବାହ କରି ସାଥିରେ ନେଇ ଯାଇଥିଲେ। ଏବଂ କହିଥିଲେ ମୋ ବଳ ଦେଖି ପ୍ରଭାବିତ ହେଉଥିବା ଝିଅ ମୋର ଆବଶ୍ୟକ ନାହିଁ ବରଂ ଯିଏ ମତେ ପ୍ରେମ ଦେବ, ସିଏ ମୋର ସହଧର୍ମିଣୀ ହେବ।