ଗଞ୍ଜାମ : ଦଶହରା ଅବସରରେ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଦୈବୀ ପୀଠ ମାଆ ନାରାୟଣୀଙ୍କ ପୀଠରେ ନବରାତ୍ରୀ ପୂଜା କୋରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ନାରାୟଣୀଙ୍କ ପୀଠ ଏକ ତନ୍ତ୍ର ପୀଠ ଭାବରେ ପରିଚିତ । ଏଠାରେ ଶିବ ଓ ଶକ୍ତି ଦ୍ୱୟ ପୂଜା ପାଉଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମାରେ ଥିବା ଭାଲେରୀ ପାହାଡର ପାଦଦେଶରେ ଅବସ୍ଥିତ ନାରାୟଣୀଙ୍କ ପୀଠ । ଝରଣା, ପାହାଡ ଓ ଜଙ୍ଗଲର ପାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ଟାଣି ଆଣେ ଭକ୍ତ, ଶ୍ରଦ୍ଧାଳୁ ଓ ବଣଭୋଜି ନିମନ୍ତେ ବିଭିନ୍ନ ବର୍ଗର ଲୋକଙ୍କୁ । ଜାତୀୟ ରାଜପଥ ଓ ରେଳପଥଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ବର୍ଷସାରା । ହେଲେ ଚଳିତବର୍ଷ କୋରୋନା ପାଇଁ ଏଠାରେ ଦଶହରା ପୂଜା ଫିକା ପଡିଛି । ତେବେ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା।
ରାୟଗଡା: ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲା ଭାଇ। ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ । ଗାଁରେ କାମଧନ୍ଦା ନ ମିଳିବାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ମୁକାପଦର ଗାଁର ଦୁଇ ଭାଇ ଦାଦନ ଖଟିବାକୁ ବିଶାଖାପାଟଣାର ପଲମାନ ପେଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ମାଲିକ ଓ କଣ୍ଟ୍ରାକ୍ଟର ସେମାନଙ୍କୁ ଦରମା ନ ଦେବା ସହିତ ଖାଇବାକୁ ମଧ୍ୟ ଦେଉନଥିଲେ ।
ଫଳରେ ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନେ ରାୟଗଡ଼ା ଫେରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ମୃତକ କୃଷ୍ଣ ମାଝୀଙ୍କ ପୁଅ ରଙ୍ଗା ମାଝୀ । ରଙ୍ଗାଙ୍କ ବଡ଼ବାପା ପୁଅ ମହେଶ୍ବର ମାଝୀ ଗୁରୁତର ଅବସ୍ଥାରେ ଅଛନ୍ତି । ପରିବାର ଲୋକଙ୍କ କହିବା କଥା, ଜିଲ୍ଲାରେ କଂପାନୀ ଥିଲେ ବି ପୁଅ ମାନଙ୍କୁ କାମ ମିଳୁନି । କଂପାନି ପାଇଁ ଜମି ବି ଯାଇଛି । ହେଲେ ପେଟ ପାଇଁ ଦାଦନ ଖଟିବାକୁ ଯାଉଛଛନ୍ତି ପିଲାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ସଦର ଥାନା ନଟକଟା ଗ୍ରାମରେ ଅଘଟଣ ଘଟିଛି। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଭାଇ ହେଲେ ୫ ବର୍ଷୀୟ ସଞ୍ଜିତ ପ୍ରଧାନ ଓ ୪ ବର୍ଷୀୟ ରଞ୍ଜିତ ପ୍ରଧାନ। ଗତକାଲି ବାପା ମା ଓ ବଡ଼ ଭାଇ ଧାନ କାଟିବାକୁ ଯାଇଥିବା ବେଳେ ଦୁଇ ଭାଇ ଖେଳିବା ପାଇଁ ଯାଇଥିଲେ। ଘରକୁ ପିଲାମାନେ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ଆଜି ସକାଳୁ ଦୁଇ ଭାଇଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର