ପୁରୀ: ଶ୍ରୀପଞ୍ଚମୀ ଅବସରରେ ଆଜି ରଥକାଠ ଅନୁକୂଳ ହୋଇଛି। ଏଥି ସହିତ ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆଜି ହୋଇଛି। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହୋଇଛି। ରାଜ ପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ଦୀପ, ଧୂପ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁଙ୍କ ମହାପ୍ରସାଦକୁ ସମର୍ପଣ କରାଯାଇଥିଲା। ଏହି ପର୍ବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଶନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିଲାଗି ଗତକାଲି ରଥଖଳାକୁ ପରିଷ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଥିଲା।
ଆଜି ସନ୍ଧ୍ୟାବେଳେ ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ। ଏହି ତିନୋଟି ଧଉରା କାଠ ଅକ୍ଷୟତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥନିର୍ମାଣ ଲାଗି ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ମନ୍ଦିରରୁ ମାଳ ମାହାର୍ଦ୍ଦ ନେଇ ନୟାଗଡ଼ ଯାତ୍ରା କରିଥିଲେ। ସେଠାରେ ବଡରାଉଳ ଠାକୁରାଣିଙ୍କ ନିକଟରେ ମାଳମାହାର୍ଦ୍ଦ ଲାଗି କରି କାଠ କାଟିବା ପାଇଁ ଆଦେଶ ପାଇବା ପରେ କାଠକଟା ଯାଇଥିଲା। ବିଧି ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାଠ ପୁରୀ ରଥଖଳାରେ ପହଞ୍ଚିବା ପରେ ଆଜି ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୁଳ ହୋଇଛି।
ସେପଟେ ଗତବର୍ଷ କୋଭିଡ୍ କଟକଣା ହେତୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା। ଏମିତିକି ଅକ୍ଷୟ ତୃତୀୟା ରଥକାଠ ଅନୁକୂଳ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର କୌଣସି ନିତିକ୍ରାନ୍ତି ଦର୍ଶନ କରିବାର ସୁଯୋଗ ଭକ୍ତ ପାଇନଥିଲେ । ଏଥର ଘୋଷଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ମନରେ ବେଶ ଉତ୍କୁଣ୍ଠା ରହିଛି। ସମସ୍ତେ ସେହି ସମୟକୁ ଚାହିଁ ବସିଛନ୍ତି। ତେବେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।