ଭୁବନେଶ୍ୱର: ମା ବାରଭୁଜାଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହୋଇଛି ପବିତ୍ର ଖଣ୍ଡଗିରି କୁମ୍ଭମେଳା । ଧ୍ୱନି ପ୍ରଜ୍ଵଳିତ ସହ ଆରମ୍ଭ ହୋଇଥିବା ଏହି ମେଳା ଦୀର୍ଘ ୯ଦିନ ଧରି ଚାଲିବ। ହୋମଯଜ୍ଞ ସାଙ୍ଗକୁ ହେବ ଗୀତା, ଭାଗବତ ଓ ଚଣ୍ଡିପାଠ। ମେଳାରେ ଏକାଠି ହୋଇଛନ୍ତି ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ। ତେବେ କୋଭିଡ କଟକଣା ଯୋଗୁଁ ଫିକା ପଡିଯାଇଛି ଚଳିତ ବର୍ଷର ଏହି ମାଘମେଳା।
ପ୍ରଜ୍ଵଳିତ ହୋଇଛି ଅଖଣ୍ଡ ଧ୍ୱନି । ଏକାଠି ହେଉଛନ୍ତି ଶହ ଶହ ସାଧୁସନ୍ଥ । ରାଜ୍ୟ ତଥା ରାଜ୍ୟ ବାହାରୁ ଖଣ୍ଡଗିରିକୁ ଛୁଟିଛି ସନ୍ୟାସୀଙ୍କ ସୁଅ। କାଶୀ, ମଥୁରା, ବୃନ୍ଦାବନ, ଦ୍ଵାରିକା, ହରିଦ୍ୱାର ଭଳି ତୀର୍ଥକ୍ଷେତ୍ରରୁ ନାଗାସାଧୁଙ୍କ ଆଗମନ ହୋଇସାରିଛି । ଖଣ୍ଡଗିରି ଗୁମ୍ପାର ଐତିହ୍ୟ ଓ କିମ୍ବଦନ୍ତୀ ଏଠାକୁ ସାଧୁସନ୍ଥଙ୍କୁ ଆକର୍ଷିତ କରୁଥିବାରୁ ବର୍ଷ ବର୍ଷ ଧରି ଏହି ସମୟରେ ସାଧୁମାନେ ଏଠାକୁ ଆସିଥାନ୍ତି।
ମାଘ ସପ୍ତମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘମେଳା । ପରମ୍ପରା ଅନୁସାରେ ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ହୋମକୁଣ୍ଡରେ ଧୁନି ପ୍ରଜ୍ଵଳିତ ହେଇଥାଏ । ଜଗତ କଲ୍ୟାଣ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ମେଳା ଆୟୋଜନ ହୋଇଥାଏ । ହୋମଯଜ୍ଞ ସହିତ ଭାଗବତଗୀତ, ଚଣ୍ଡୀପାଠର ଆଲୋଚନା ବେଶ ଜମୁଥିବାବେଳେ, ହରିନାମ କୀର୍ତନରେ ପ୍ରାକମ୍ପିତ ହେଇଛି ଖଣ୍ଡଗିରି ଅଂଚଳ।
ଏହି ପବିତ୍ର ପୀଠରେ କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଛି ମାଘ କୁମ୍ଭ ମେଳା। ଏଠାରେ 752ଟି ଗୁମ୍ଫା ଓ 11ଟି କୁଣ୍ଡ ଥିବା ବେଳେ ଏବେ ମାତ୍ର 6ଟି କୁଣ୍ଡ ଦୃଶ୍ୟମାନ ହେଉଛି। ମା ବାରଭୁଜାଙ୍କ ସାନିଧ୍ୟ ପାଇବା ସହିତ ସମାଜର ମଙ୍ଗଳ ପାଇଁ 9ଦିନ ଧରି ହେଉଥିବା ବେଦପାଠ ଓ ମନ୍ତ୍ର ଉଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ।
ବିଶ୍ୱାସ ରହିଛି କି ଏହି କୁଣ୍ଡରେ ସାନ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହିତ ପୁଣ୍ୟ ମିଳିଥାଏ । ମେଳାକୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ଆୟୋଜକ। ପରମ୍ପରା ରହିଛି ସତ ହେଲେ କୋଭିଡ କଟକଣା ଯୋଗୁଁ ଫିକା ପଡିଯାଇଥିବା କହିଛନ୍ତି ମେଳାକୁ ଆସିଥିବା ଲୋକେ । ମେଳାରେ ଯାତ୍ରା ଓ ଦୋକାନ ପାଇଁ ଅନୁମତି ମିଳିନଥିବା ବେଳେ କେଵଳ ବାବା ସାଧୁଙ୍କୁ ସାଧନା ପାଇଁ ମିଳିଛି ।