ଢେଙ୍କାନାଳ: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି।
ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି। ସେହିପରି ଆଜି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି। ତେବେ ଏଥର କରୋନା ପାଇଁ ଫିକା ପଡିଛି ମାଆଙ୍କ ପୂଜା ।