ଅର୍ଗସ ବ୍ୟୁରୋ: ଓଡିଶାରେ ଦକ୍ଷତା ବିକାଶର ବିକଳ ଚିତ୍ର । ଅପାରଗତା ଆଡକୁ ଗତି କରୁଛନ୍ତି ରାଜ୍ୟର ଯୁବପୀଢି । ଫେଲ ମାରିଛି ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଇଣ୍ଡିଆ ସ୍କିଲସ ରିପୋର୍ଟ ୨୦୨୧ରେ ଏମିତି କିଛି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ଓଡିଶାର ୬୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଚାକିରୀ ପାଇବାର ଯୋଗ୍ୟତା ନାହିଁ । ଇଂରାଜୀ ଶିକ୍ଷାରେ ଓଡିଶା ପଛରେ ରହିଛି । ଇଂରାଜୀକୁ ଦ୍ୱିତୀୟ ଭାଷା ଭାବେ ବ୍ୟବହାର କରୁଥିବା ମଧ୍ୟରେ ଓଡିଶାର ଦକ୍ଷତା ଖୁବକମ୍ । ଏହାଛଡା ନ୍ୟୁମରିକାଲ ସ୍କିଲ, କ୍ରିଟିକାଲ ଥିଙ୍କିଙ୍ଗ ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ମଧ୍ୟ ଓଡିଶା ଆଗକୁ ବଢିପାରିନି । ନିଯୁକ୍ତି ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ୧୦ ରାଜ୍ୟ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ, ପଶ୍ଚିମ ବଙ୍ଗ ଓ ରାଜସ୍ଥାନ । ତେବେ ସର୍ବଶେଷରେ ଥିବା ରାଜସ୍ଥାନରେ ୩୧.୮୭ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇବା ଲାଗି ଯୋଗ୍ୟତା ହାସଲ କରିପାରିଛନ୍ତି । ହେଲେ ଓଡିଶା ଏହି ସ୍ଥାନକୁ ବି ପହଞ୍ଚିପାରନି । ଅର୍ଥାତ ଓଡିଶାରେ ମାତ୍ର ୩୧ ପ୍ରତିଶତ ଛାତ୍ରଛାତ୍ରୀ ହିଁ ନିଯୁକ୍ତି ପାଇବା ପାଇଁ ଦକ୍ଷତା ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ବିଜେଡି ରଖିଛି। ଦଳର ଯୁକ୍ତି ପୂର୍ବ ଭାରତରେ ଓଡିଶା ଏଜୁକେସନ ହବ୍ ହେବାକୁ ଯାଉଛି । ଓଡିଶାର ଯୁବକଯୁବତୀ ଅନ୍ୟ ରାଜ୍ୟକୁ ପଢିବାକୁ ଯାଉନାହାନ୍ତି । ଇଂରାଜୀ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସହ ଘରୋଇ ଇଂରାଜୀ ମିଡିଅମ ସ୍କୁଲରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ବିଜେଡି କହିଛି ।
ତେବେ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବେଶ ଉଦବେଗଜନକ ରହିଛି । ସରକାରୀ ତଥ୍ୟ କହୁଛି, ୨୦୧୦ରୁ ୨୦୨୦ ଭିତରେ ନାଁ ପଞ୍ଚିକରଣ କରି ୮ ଲକ୍ଷ ୮୩ ହଜାର ୬୩୯ ଯୁବକଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି । କେବଳ ୨୦୨୦ ମସିହାରେ ୬୦ ହଜାର ୯୭୬ ନାଁ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୩ ଜଣ ଚାକିରି ପାଇଛନ୍ତି ।
ଚଳିତ ବର୍ଷ ବଜେଟରେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୪ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟରେ ୨୦୧୬ରୁ କାମ କରୁଛି ଦକ୍ଷତା ବିକାଶ ପ୍ରାଧିକରଣ । ହେଲେ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଇଣ୍ଡିଆ ସ୍କିଲସ ରିପୋର୍ଟ ଓଡିଶାର ଦକ୍ଷତା ବିକାଶର ଦୟୀନିତି ସ୍ଥିତିକୁ ପଦାକୁ ଆଣିଛି ।