ଅର୍ଗସ ବ୍ୟୁରୋ: ଶିଳାନ୍ୟାସର ତିନି ବର୍ଷ ପରେ ସରକାରଙ୍କ ମନେ ପଡିଲା ଓଡିଆ ବିଶ୍ୱବିଦ୍ୟାଳୟ କଥା। ତାହା ପୁଣି ଲଲିପପ ଦେଖାଇବା ପରି। ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ବଜେଟରେ ମାତ୍ର 10 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଯାହାକୁ ନେଇ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସରକାରଙ୍କ ଓଡିଆ ଭାଷା ପ୍ରତି ଆନ୍ତରିକତା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ପାଠ ପଢା ପାଇଁ ସୁଉଚ୍ଚ ଅଟ୍ଟାଳିକା, ଚାରିପଟେ ସବୁଜିମାର ଗାଲିଚା, ବିରାଟ ପ୍ରେକ୍ଷାଳୟ, ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆ, ଅବସର ସମୟ ବିତାଇବା ପାଇଁ ସୁସଜ୍ଜିତ ଜଳକୁଣ୍ଡ, ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ତିଆରି ହେବ । ମାଷ୍ଟର ପ୍ଲାନରେ ଏମିତି କିଛି ସ୍ୱପ୍ନ ସରକାର ଆଙ୍କିଛନ୍ତି। ମାତ୍ର ଭିତ୍ତି ପ୍ରସ୍ତର ପଡିବାର ତିନି ବର୍ଷ ପରେ ବି ଏଠି ଇଟା ଖଣ୍ଡେ ପଡ଼ିନି। ସରକାର ଏଥର ବଜେଟରେ ଓ଼ଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ମାତ୍ର 10 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଗତ ବଜେଟରେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ସରକାର ମାତ୍ର 15 କୋଟି ଟଙ୍କା ମଞ୍ଜୁର କରିଥିଲେ । ତେବେ ଗୋଟିଏ ବିଶ୍ୱବିଦ୍ୟାଳୟ ପାଇଁ ଶହ ଶହ କୋଟି ଟଙ୍କାର ଆବଶ୍ୟକ ରହିଥିବା ବେଳେ ସରକାରଙ୍କ ଏହି ଅନୁଦାନ ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ପଞ୍ଚଶଖାଙ୍କ ସ୍ମୃତି ବହନ କରୁଥିବା ବକୁଳ ବନର ବର୍ତ୍ତମାନ ଚିତ୍ର ମୃତପ୍ରାୟ ଅବସ୍ଥାରେ ପଡି ରହିଛି । ଅର୍ଦ୍ଧଭଗ୍ନ ଓ ଅବହେଳିତ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତୀ, ଜରାଜୀର୍ଣ୍ଣ ସ୍ଥିତିରେ ଥିବାବେଳେ ପ୍ରେକ୍ଷାଳୟ, ଶ୍ରେଣୀଗୃହ ସବୁ ଅଧା ଭୁଷୁଡି ଗଲାଣି । ଅସାମାଜିକ ଓ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ ବିଦ୍ୟାଳୟର ପରିସର ।
ତେବେ ପ୍ରସ୍ତାବିତ ଓଡିଆ ବିଶ୍ୱବଦ୍ୟାଳୟ ନିର୍ମାଣ ପାଇଁ 2018 ଅକ୍ଟୋବର 9ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ନିର୍ମାଣ କଥା ଛାଡନ୍ତୁ, 3 ବର୍ଷ ଭିତରେ କାମ ଆରମ୍ଭ ହୋଇ ନଥିବାରୁ ସରକାରଙ୍କ ଓଡିଆ ଭାଷା ପ୍ରୀତିକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।
ସରକାରଙ୍କ ଯୋଜନା ଅନୁସାରେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବା ସହ ଆମ ଓଡିଆ ଭାଷାର ବ୍ୟାକରଣ, ଶବ୍ଦ ଭଣ୍ଡାର, କଥନ, ଲିଖନ ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ । କିନ୍ତୁ ଏଥିପାଇଁ ବଜେଟର ଆକାର ଓ ଭିତ୍ତି ପ୍ରସ୍ତର ସ୍ଥାପନର ତିନି ବର୍ଷ ପରେ ବର୍ତ୍ତମାନର ସ୍ଥିତି ଓଡିଆ ବିଶ୍ୱବିଦ୍ୟାଳୟର ବାସ୍ତବତାକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି ।