ବାଲେଶ୍ଵର : ସ୍କୁଲ ପିଲାଙ୍କ ଜୀବନ ସହ ଖେଳ । ମଧ୍ୟାହ୍ନ ଭୋଜନ ନାଁରେ ଦିଆଯାଉଛି ବିଷ । ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ସାଲୁବାଲୁ । କରୋନା ଯୋଗୁଁ ଓଡିଶାରେ ସମସ୍ତ ସ୍କୁଲ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ରହିଥିଲା ।
ସରକାର ଗତ ଜୁଲାଇ ମାସରେ ରହିଯାଇଥିବା ଚାଉଳକୁ ପିଲାମାନଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ୧୮୧ ଟି ସ୍କୁଲରୁ ମାତ୍ର ୧୩ଟି ସ୍କୁଲରେ ଏମଡିଏମ ଚାଉଳ ଦିଆଯାଇଥିବା ଜଣାପଡିଛି ।
ବାଲେଶ୍ଵର ଜିଲ୍ଲା ଜଡିଦା ପ୍ରହଲ୍ଲାଦ ନୋଡାଲ ସ୍କୁଲରେ ମୋଟ ୨୩୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏମଡିଏମ ଚାଉଳ ବଦଳରେ ବିଷ ଦେଉଥିବା ଅଭିଯୋଗ ହୋଇଛି । ଅଭିଭାବକ ଭଲ ଚାଉଳ ମାଗିଥିବା ବେଳେ ଏହି ଚାଉଳ ଅଛି ନେଲେ ନିଅ ନନେଲେ ନାହିଁ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ କହିଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ୧୮୧ ଟି ବିଦ୍ୟାଳୟରେ ୧୧ ହଜାର ୯୨୮ଜଣ ପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯ ଟଙ୍କା ୯୬ ପଇସା ମଞ୍ଜୁର ହୋଇଥିବା ବେଳେ ଅପରପ୍ରାଇମେରୀ ରେ ୭୨୨୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୭୧୭ ଟଙ୍କା ୧୬ ପଇସା ଫୁଡ଼ ସେଫଟି ଏନାଉନସ ଦେବାପାଇଁ ନିର୍ଦ୍ଦେଶ ଥିଲା । ଏପର୍ଯ୍ୟନ୍ତ ପିଲାମାନଙ୍କ ଆସିଥିବା ଟଙ୍କା ମଧ୍ୟ ଦିଆଯାଇନଥିବା ଜଣାପଡିଛି ।
ଅଭିଭାବକ ମାନେ ଗରିବ ଆଦିବାସୀ ପରିବାର ହୋଇଥିବାରୁ କାଳେ ଆଉ ଚାଉଳ ପାଇବେ ନାହିଁ ଏହି ଆଶଙ୍କାରେ ପୋକ ଚାଉଳ ନେଇ ଆସିଥିଲେ । କିନ୍ତୁ ଘରେ ଆସି ଚାଉଳ ପାଛୋଡ଼ିବା ପରେ ଦୁର୍ଗନ୍ଧ ବାହାରୁଥିବାରୁ ପିଲା ଖାଇଲେ ଝାଡ଼ାବାନ୍ତି ହେବାର ଭୟ ଘାରିଥିଲା । ପରେ ସେମାନେ ଘଟଣାକୁ ନେଇ ଗଣମାଧ୍ୟମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ତେବେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ । କୋଭିଡ ସେଣ୍ଟର ସ୍କୁଲ ହୋଇଥିବାରୁ ଚାଉଳ ବଣ୍ଟନ ହୋଇପାରିନଥିଲା ତେଣୁ ପୋକ ଲାଗି ଯାଇଛି ।
କାହାରିକୁ ଜୋର କରି ଦିଆଯାଇ ନାହିଁ ସେମାନେ ଏହାକୁ ନେଇ ପଖାଳ କରି ଖାଇବେ ବୋଲି କହିବାରୁ ତାହା ଦେଇଥିଲୁ । ରହିଥିବା ଟଙ୍କା କିଛି ଅବ୍ୟବସ୍ଥା ପାଇଁ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଘଟଣା ବିଷୟରେ ପଚାରିବାରୁ ଘଟଣା ବିଷୟରେ କିଛି ଜାଣି ନଥିଲେ, ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି ନୀଳଗିରି ବିଇଓ ସୋମନାଥ ଗୋଛାୟତ ।