ଭାରତର ବିଭିନ୍ନ ସ୍ଥାନରୁ ଏବଂ ସମାଜର ବିଭିନ୍ନ ସ୍ତରରୁ ଆସୁଥିବା ବିଦ୍ୟାର୍ଥୀମାନେ ନିଜର ଉତ୍କର୍ଷ ପ୍ରତିପାଦନ ପାଇଁ ଜେଏନୟୁରେ ସମାନ ସୁଯୋଗ ପାଇଥାନ୍ତି । ଭାରତୀୟ ସଂସ୍କୃତିର ଛାୟା ସେଠାରେ ପ୍ରତିଫଳିତ ହୁଏ । ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ ସମସ୍ତ ପ୍ରକାର ପରିବେଶ ଏହି ବିଶ୍ୱବିଦ୍ୟାଳୟ ଯୋଗାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶିକ୍ଷା କ୍ଷେତ୍ରରେ ଭାରତ କିପରି ସମଗ୍ର ବିଶ୍ୱରେ ଉତ୍କର୍ଷ ପ୍ରତିପାଦନ କରିଥିଲା ତାହା ସ୍ମରଣ କରାଇଥିଲେ। ଶିକ୍ଷାଦାନ ଏବଂ ଗବେଷଣା କ୍ଷେତ୍ରରେ ପ୍ରାଚୀନ ଭାରତର ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା ଏବଂ ବଲ୍ଲଭି ବଳି ବିଶ୍ୱବିଦ୍ୟାଳୟ ଗୁଡ଼ିକ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲେ । ସାରା ବିଶ୍ୱରୁ ବିଦ୍ୟାର୍ଥୀ ଏବଂ ପଣ୍ଡିତ ମାନେ ଶିକ୍ଷା ଓ ଗବେଷଣା ପାଇଁ ଭାରତକୁ ଆସୁଥିଲେ । ଚରକ, ଆର୍ଯ୍ୟଭଟ୍ଟ, ଚାଣକ୍ୟ, ପାଣିନୀ, ପତଂଜଳି, ଗାର୍ଗୀ, ମୈତ୍ରେୟୀ, ଥିରୁଭାଲୁଭର ଇତ୍ୟାଦି ଥିଲେ ଭାରତର ଗୌରବ। ଚିକିତ୍ସା ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ବ୍ୟାକରଣ, ସାମାଜିକ ବିକାଶରେ ସେମାନଙ୍କ ଅବଦାନ ଅମୂଲ୍ୟ । ଆଜିର ଗବେଷକ ଏବଂ ବିଦ୍ୱାନମାନେ ଏହି ଦିଗରେ ଅଧିକ ଗବେଷଣା କରିବା ଉଚିତ୍ ଯାହା ବିଶ୍ୱର ବିଭିନ୍ନ ସମସ୍ୟାର ମୁକାବିଲା ପାଇଁ ସହାୟକ ହୋଇପାରିବ । ଜେଏନୟୁ ଭଳି ଶିକ୍ଷାନୁଷ୍ଠାନ ଏହି ଆବଶ୍ୟକତା ପୁରଣ କରିପାରିବ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି ।