ସମ୍ବଲପୁର: ଆଜି ବୁର୍ଲା ଭିସୁଟରେ ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷା ସ୍ଥଗିତ । ଭିସୁଟରେ 25 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସହିତ ବିଶ୍ୱବିଦ୍ୟାଳୟର 11ଟି ଛାତ୍ରାବାସକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଦ୍ୱାରା ପାଠପଢିବା ନିମନ୍ତେ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଭିସୁଟ ଶେଷ ବର୍ଷର କିଛି ବିଷୟର ପରୀକ୍ଷାକୁ ଅଫଲାଇନ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ରହିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସର ଓ ବୁର୍ଲା ପ୍ରବେଶ ପଥ ପିସି ବ୍ରିଜଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଏହି ପରିସ୍ଥିତିରେ ଶତାଧିକ ଛାତ୍ରଛାତ୍ରୀ କିଭଳି ଭାବରେ ପରୀକ୍ଷା ଦେବେ ସେନେଇ ବିଚାର କରି ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଆଜି ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ କରିଛନ୍ତି ।