ନୂଆଦିଲ୍ଲୀ : ମନୋରଞ୍ଜନ ଦୁନିଆଁ ଉପରେ କରୋନାର ପ୍ରଭାବ ଏବେ ଅତ୍ୟଧିକ ମାତ୍ରାରେ ପଡୁଥିବା ଦେଖିବାକୁ ମିଳୁଛି । ଅନେକ୍ କଳାକାର କରୋନା ଜାଲରେ ଛନ୍ଦି ହୋଇ ପଡିଲେଣି । ଠିକ୍ ସେମିତି ନିକଟରେ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ କରୋନା ସଂକ୍ରମିତ ହୋଇଥିବାର ସୂଚନା ଦେଇଥିଲେ । ଏବଂ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା କଥା ମଧ୍ୟ କହିଥିଲେ । ସେ ଲେଖିଥିଲେ ଯେ, ‘ମୁଁ ସମସ୍ତଙ୍କୁ ସୂଚିତ କରିଦେବାକୁ ଚାହୁଁଛି ଯେ, ମୁଁ କରୋନା ସଂକ୍ରମିତ ହୋଇଛି । ସବୁ କଥାକୁ ଧ୍ୟାନରେ ରଖି ମୁଁ ନିଜକୁ ଆଇସୋଲେଟ କରିଛି । ମୁଁ ନିଜ ଘରେ କ୍ୱାରେଣ୍ଟାଇନରେ ଅଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛି । ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଗତ କିଛିଦିନ ଧରି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ମୁଁ ଖୁବ୍ ଶୀଘ୍ର କାମକୁ ଫେରିବି ‘ ।
ହେଲେ ଏବେ ଖବର ଅନୁଯାୟୀ,ଅକ୍ଷୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁମ୍ବାଇର ହିରାନନ୍ଦାନି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ଅକ୍ଷୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।