
କୋରିଓଗ୍ରାଫର ଗଣେଶଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଖୋଦ୍ ଗଣେଶ । ଗତ କିଛି ଦିନ ତଳେ ବଲିଉଡ କୋରିଓଗ୍ରାଫର ଗଣେଶ ଆଚାରିୟଙ୍କ ନାଁରେ ଜଣେ ମହିଳା ସଙ୍ଗିନ୍ ଅଭିଯୋଗ କରିଥିଲେ । ସେହି ମହିଳାଙ୍କ ବିରୋଧରେ ଏବେ ପାଲଟା ଅଭିଯୋଗ କରିଛନ୍ତି ଗଣେଶ । ସେ କହିଛନ୍ତି ମହିଳାଙ୍କ ଅଭିଯୋଗ କାରଣରୁ ତାଙ୍କର ମାନହାନୀ ହୋଇଛି । ତେଣୁ ତାଙ୍କ ନାଁରେ ସେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ଏହା ସହ ଗଣେଶ ଆହୁରି କହିଛନ୍ତି ଯେ, ମିହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।
ସୂଚନାଯୋଗ୍ୟ, ଉକ୍ତ 33 ବର୍ଷୀୟ ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ଗଣେଶ ତାଙ୍କୁ ତାଙ୍କ କାମର କମିଶନ ମଗୁଛନ୍ତି । ଏହା ସହ ଗଣେଶ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଥିବା ବେଳେ ତାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ଚାପ ପକାଉଛନ୍ତି । ଅନ୍ୟପଟେ ମାନସିକ ନିର୍ଯାତନ ମଧ୍ୟ ଦେଉଥିବା ଗଣେଶଙ୍କ ନାଁରେ ଅଭିଯୋଗ କରିଥିଲେ ମହିଳା ଜଣକ ।
ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ମହାସଚିବ ହେଉଛନ୍ତି ଗଣେଶ ଆଚାରିୟ । ତେବେ ଗଣେଶଙ୍କ କହିବାନୁଯାୟୀ, ସେ ମହିଳା ଜଣଙ୍କୁ ବ୍ୟକ୍ତିଗତ ଭାବରେ କେବେ ଦେଖା ହୋଇନାହାନ୍ତି । ଏଭଳି ଅଭିଯୋଗ ତାଙ୍କୁ ଫସାଇବା ପାଇଁ କରାଯାଇଛି । କାରଣ ସେ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନର ସଂଯୋଜକମାନଙ୍କୁ ବିରୋଧ କରିବା ସହ ବିଭିନ୍ନ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଛନ୍ତି । ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନରେ ସଂଯୋଜକମାନଙ୍କ ରହିବାର କୌଣସି ଆବଶ୍ୟକତା ନାହିଁ । ଏମାନଙ୍କ ଶୋଷଣ ଦ୍ୱାରା ଆଜି ନୃତ୍ୟଶିଳ୍ପୀମାନଙ୍କ ସ୍ଥିତି ଖରାପ ରହିଛି । ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି ଗଣେଶ ।
