ସମସ୍ତେ ରାଜୁ ଶ୍ରୀବାସ୍ତବଙ୍କୁ କମେଡିର କିଙ୍ଗ ଭାବେ ଜାଣିଛନ୍ତି । ତେବେ ଅନେକ ଜଣ ତାଙ୍କର ଜୀବନର ଆରମ୍ଭ ସମୟ ବାବଦରେ ଅବଗତ ନଥିବେ । କେଉଁଭଳି ସେ ନିଜ କ୍ୟାରିୟର ଆରମ୍ଭରୁ ଅନେକ କଷ୍ଟର ସାମ୍ନା କରିଥିଲେ । ତେବେ ଆସନ୍ତୁ ଜାଣିବା କାନପୁରର ରାଜୁ ଶ୍ରୀବାସ୍ତବ ମନୋରଞ୍ଜନ କ୍ଷେତ୍ରରେ କେଉଁଭଳି ବଡ ନାଁ ହୋଇପାରିଥିଲେ ।
ପିଲାଟି ବେଳୁ ସେ ମିମିକ୍ରି କରୁଥିଲେ । ସେ ହାସ୍ୟକଳାକାର ହେବାକୁ ଚାହୁଁଥିଲେ, ଆଉ ଛୋଟିଆ ଜାଗାରୁ ବାହରି ନିଜର ସ୍ୱପ୍ନକୁ ସତ କରିଥିଲେ । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ଗୋଟିଏ ସାକ୍ଷାତକାରରେ ରାଜୁ ଶ୍ରୀବାସ୍ତବ କହିଥିଲେ, ତାଙ୍କୁ ପିଲାଟୁ ବେଳୁ କମେଡି କରିବାର ଇଚ୍ଛା ଥିଲା । ସେ ସ୍କୁଲରେ ନିଜର ଶିକ୍ଷକଙ୍କର ମିମିକ୍ରି କରୁଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କର ମଧ୍ୟ ମିମିକ୍ରି କରୁଥିଲେ । ତାଙ୍କର ଏହି ମିମିକ୍ରିର ଶୈଳୀ ପାଇଁ ଅନେକ ସମୟରେ କ୍ରିକେଟରେ କମେଣ୍ଟ୍ରି ପାଇଁ ମଧ୍ୟ ଡକାଯାଉଥିଲା ।
ତେବେ ରାଜୁଙ୍କ ରାସ୍ତା ଏତେ ସହଜ ନଥିଲା । ଛୋଟ ସହରରୁ ବାହାରି ରାଜୁ ଶ୍ରୀବାସ୍ତବ ଯେତେବେଳେ କମେଡିଆନ ହେବା ପାଇଁ ମୁମ୍ବାଇ ଆସିଥିଲେ ସେତେବେଳେ ଅନେକ ଅସୁବିଧାର ସାମ୍ନା ତାଙ୍କୁ କରିବାକୁ ପଡିଥିଲା । ଘରୁ ଆସୁଥିବା ଟଙ୍କାରେ ମୁମ୍ବାଇରେ ଚଳିବା ତାଙ୍କ ପାଇଁ ସହଜ ନଥିଲା । ନିଜ ଖର୍ଚ୍ଚ ପୂରଣ ପାଇଁ ସେ ମୁମ୍ବାଇରେ ଅଟୋରିକ୍ସା ମଧ୍ୟ ଚଲାଇଥିଲେ ।
ଆଉ ଏହି ଅଟୋରୁ ହିଁ ତାଙ୍କୁ ପ୍ରଥମ ବ୍ରେକ ମିଳିଥିଲା । ଯେଉଁମାନେ ଅଟୋରେ ଯାଉଥିଲେ ତାଙ୍କ ଜରିଆରେ ଏହି ସଫଳତା ହାସଲ କରିଥିଲେ ରାଜୁ । ନିଜର ପ୍ରଥମ କମେଡି ପାଇଁ ୫୦ ଟଙ୍କା ପାଇଥିଲେ । ତେବେ ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।