ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅଜୟ ଦେବଗନ୍ ତାଙ୍କ ଅଭିନୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଗମ୍ଭୀର ରୋଲ୍ରୁ ଆରମ୍ଭ କରି ଆକ୍ସନ୍ ଏବଂ କମେଡି ,ସବୁ କ୍ୟାରେକ୍ଟରରେ ସେ ପାରଙ୍ଗମ । କାମରେ ବୁଡି ରହି, ସେ ନିଜ କାମକୁ ସଫଳ କରିବାକୁ ସବୁବେଳେ ଚେଷ୍ଟା କରନ୍ତି ।
ଆଜି ହେଉଛି ଅଜୟ ଦେବଗନ୍ଙ୍କ ଜନ୍ମଦିନ । ସେ ୨ ଏପ୍ରିଲ ୧୯୬୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଅଜୟଙ୍କର ପ୍ରକୃତ ନାଁ ହେଉଛି, ବିଶାଲ ବିରୁ ଦେବଗନ୍ । ହେଲେ ତାଙ୍କ ମା’ଙ୍କ କହିବା ଅନୁସାରେ ସେ ନିଜ ନାଁ ଅଜୟ ରଖିଥିଲେ । ଘରେ ତାଙ୍କର ଫିଲ୍ମି ମାହୋଲ ରହିଥିବାରୁ ସେ ମଧ୍ୟ ଏହି ଲାଇନ୍ ପ୍ରତି ମନ ବଳାଇଥିଲେ । ଏବଂ ଫିଲ୍ମ ନିର୍ଦ୍ଦେଶକ ହେବାର ସ୍ୱପ୍ନ ଦେଖିଥିଲେ ।
ମୁମ୍ବାଇରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବା ପରେ, ସେ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁରଙ୍କ ସହ ସହ ନିର୍ଦ୍ଦେଶକ ଭାବେ କାମ କରିବା ଆରମ୍ଭ କଲେ । ଏହା ମାଧ୍ୟମରେ କୁକ୍କୁ କୋହଲିଙ୍କ ସହ ଅଜୟଙ୍କର ଭେଟ୍ଟ ହୋଇଥିଲା । ସେ ଅଜୟ ଦେବଗନ୍ଙ୍କୁ ଫିଲ୍ମରେ ନାୟକ ହେବାକୁ କହିଥିଲେ । ଅଜୟ ତାଙ୍କର ପ୍ରଥମ ଫିଲ୍ମରେ ହିଁ ସଫଳତା ହାସଲ କରିଥିଲେ । ଏହାପରେ ସେ ପରିଚିତ ହୋଇଥିଲେ ।
ଫିଲ୍ମ’ଫୁଲ ଔର କାଣ୍ଟେ’ର ସଫଳତା ପରେ ଆକ୍ସନ ହିରୋ ରୂପରେ ସେ ପରିଚିତ ହୋଇଗଲେ । ଏହାପରଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ଦର୍ଶକଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ଭେଟିଦେଇ , ଢେରସାରା ଭଲପାଇବା ଏବଂ ଲୋକପ୍ରିୟତା ସାଉଣ୍ଟିଚାଲିଛନ୍ତି ।
ଅଜୟ ଦେବଗନ୍ଙ୍କ କ୍ୟାରିୟରରେ ଅଭିନେତ୍ରୀ କାଜଲଙ୍କ ସହ ତାଙ୍କ ଯୋଡି ବେଶ ଜମିଛି । ଦୁହେଁ ପ୍ରଥମେ ଫିଲ୍ମ’Hulchul’ ମାଧ୍ୟମରେ ଏକାଠି ନଜର ଆସିଥିଲେ । ଏହାପରେ ଏହି ଯୋଡିକୁ ଅନେକ୍ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ୧୯୯୯ରେ ଅଜୟ ଦେବଗନ୍ ଏବଂ କାଜଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ଆଜି ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।