ନୂଆଦିଲ୍ଲୀ : କାହା ମୁହଁରେ ଟିକିଏ ହସ ଫୁଟାଇବା ଏତେ ସହଜ କଥା ନୁହେଁ । ହେଲେ ଏମିତି ବି କିଛି ଲୋକ ଅଛନ୍ତି ,ଯେଉଁମାନେ ଏହି କାମକୁ ଖୁବ୍ ସହଜରେ କରିପାରନ୍ତି । ସତେ ଯେପରି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ତାଙ୍କ ପାଖରେ କିଛି ଯାଦୁ ଥାଏ । ତେବେ ସେମିତି ଜଣେ ଲୋକପ୍ରିୟ ହାସ୍ୟ କଳାକାର ହେଉଛନ୍ତି କପିଲ ଶର୍ମା । କଥା କଥାରେ ସେ ଲୋକଙ୍କୁ ହସାଇ ହସାଇ ବେଦମ୍ କରାନ୍ତି । ତାଙ୍କ କମେଡି ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ୍ କରନ୍ତି । ତାଙ୍କର ‘ଦ କପିଲ ଶର୍ମା ଶୋ’ ବେଶ ଲୋକପ୍ରିୟ । ସେ ତାଙ୍କ ପ୍ରତିଭା ବଳରେ ଆଜି ନାମୀ,ଦାମୀ କଳାକାର ମଧ୍ୟରେ ଜଣେ ହୋଇ ପାରିଛନ୍ତି । ତେବେ ଆଜି ହେଉଛି କପିଲ ଶର୍ମାଙ୍କର ଜନ୍ମଦିନ । ୨ ଏପ୍ରିଲ ୧୯୮୧ରେ ସେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
କପିଲ ଶର୍ମା ଏକ ସାଧାରଣ ପରିବାରୁ ଆସିଛନ୍ତି । ଯେତେବେଳେ କପିଲ ୨୩ ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଘରର ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଆସିଥିଲା । ଏହାପରେ ସେ ନିଜ ଘରର ବୋଝ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଆଜି ସେ ତାଙ୍କ ପ୍ରତିଭା ବଳରେ ଜଣେ ସଫଳ କଳାକାର ହେବା ସହିତ, ନିଜ ପରିବାରକୁ ବେଶ ଆନନ୍ଦରେ ରଖି ପାରିଛନ୍ତି । ଲୋକାଲ ଟ୍ରେନରେ ଯାତ୍ରା କରୁଥିବା କପିଲ ଶର୍ମା ଆଜି ଅନେକ୍ ସମ୍ପତିର ମାଲିକ୍ । ଆଜି ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ । ଗାଡି,ଘର,ବ୍ୟାଙ୍କ ବାଲାନ୍ସ ସବୁ ଅଛି ତାଙ୍କ ପାଖରେ ।
ସେ ତାଙ୍କ ମା’,ପତ୍ନୀ ଓ ପିଲାଙ୍କୁ ନେଇ ମୁମ୍ବାଇରେ ରହୁଛନ୍ତି । କେବଳ ମୁମ୍ବାଇରେ ନୁହେଁ ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ତାଙ୍କର ବଙ୍ଗଳା ରହିଛି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।