ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଭାବେ କରୀନାଙ୍କର ବେଶ ନେମ୍ ଆଣ୍ଡ ଫେମ୍ ରହିଛି। ସେ ଅଭିନୟ କରିଥିବା ଫିଲ୍ମରେ ଗୀତନାଚର ଚମକ ଓ ଗ୍ଲାମର ଭର୍ତ୍ତି ହୋଇ ରହିଥାଏ। କରୀନା କିନ୍ତୁ ଏବେ ଭିନ୍ନ ଧରଣର ଦୁଇଟି ମୁଭିରେ ସୁଟିଂ କାମ ସାରିଛନ୍ତି। ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ହଂସଲ ମେହେଟାଙ୍କ ନିର୍ଦ୍ଦେଶନାରେ ସେ ଯେଉଁ ଚରିତ୍ର ନିଭାଇଛନ୍ତି ତାହା ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ କେଟ ଓ୍ବିନସଲେଟଙ୍କ ଅଭିନୟରୁ ଅନୁପ୍ରାଣୀତ ବୋଲି କରୀନା ନିଜେ ଉତ୍ସାହର ସହିତ ପ୍ରକାଶ କରିଛନ୍ତି। କରୀନା ତାଙ୍କ ଆଗାମୀ ଫିଲ୍ମରେ ଜଣେ ମା’ ତଥା ପୋଲିସ ଭୂମିକାରେ ଦେଖାଦେବେ। `ଦି ବକିଂହମ ମର୍ଡର୍ସ’ ଚଳଚ୍ଚିତ୍ରର କାହାଣୀ ଇଂଲଣ୍ଡର ଏକ ଗ୍ରାମାଞ୍ଚଳର ହତ୍ୟାକାଣ୍ଡ ଉପରେ ପର୍ଯ୍ୟବେଶିତ। ଏହାର ୮୦ ପ୍ରତିଶତ ସଂଳାପ ଇଂରାଜୀ ଭାଷାରେ ହୋଇଥିବାବେଳେ ୨୦ ପ୍ରତିଶତ ସଂଳାପର ଭାଷା ହିନ୍ଦୀରେ ହୋଇଛି। ହିନ୍ଦୀରେ କରୀନା ପ୍ରଥମଥର ପାଇଁ ଏହି ମୁଭି ମାଧ୍ୟମରେ ପ୍ରଡ୍ୟୁସର ସାଜିଛନ୍ତି।
ଇତିମଧ୍ୟରେ ଡାଇରେକ୍ଟର ସୁଜୟ ଘୋଷଙ୍କ `ଦି ଡିଭୋସନ ଅଫ ସସପେକ୍ଟ ଏକ୍ସ’ର ସୁଟିଂ ମଧ୍ୟ ସରିଛି। ଜାପାନୀ ଲେଖକ ହିଗାସିନୋଙ୍କ ପ୍ରସିଦ୍ଧ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ଫିଲ୍ମ ଜରିଆରେ କରୀନା ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ। ଆସନ୍ତା ମାର୍ଚ୍ଚ ମାସରୁ କରୀନା ଆଉ ଏକ ଫିଲ୍ମରେ ସୁଟିଂ ଆରମ୍ଭ କରିବେ ଯାହାର ନାମ ହେଉଛି `ଦି କ୍ର୍ୟୁ’ । ଏଥିରେ କରୀନାଙ୍କ ସହିତ ତବୁ ଓ କ୍ରୀତି ସାନନ୍ ନଜର ଆସିବେ। ଏହି ଫିଲ୍ମରେ କରୀନା ଗ୍ଲାମର୍ସ ଲୁକ୍ରେ ନଜର୍ ଆସିବେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।