ନୂଆଦିଲ୍ଲୀ : କନ୍ନଡ ଅଭିନେତା ୟଶଙ୍କୁ ଲିଗାଲ ନୋଟିସ୍ । ଆଉ ଏହାର କାରଣ ଜାଣିବା ପରେ ଯେ କେହିବି ଚମକି ପଡିବେ । କାରଣ ହେଉଛି, ‘କେଜିଏଫ୍ ଚାପ୍ଟର ୨’ । ପୁଣି ‘କେଜିଏଫ୍ ଚାପ୍ଟର -୨’ କୁ ନେଇ ଲିଗାଲ ନୋଟିସ୍ ? ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହୁଥିଲା । ଯାହାକୁ ଦେଖିବା ପାଇଁ ଦର୍ଶକ ଚାହିଁବସିଛନ୍ତି । ତେବେ ଏହା ପଛର ପ୍ରକୃତ କାରଣ ହେଲା-
କିଛିଦିନ ପୂର୍ବରୁ ‘କେଜିଏଫ୍ ଚାପ୍ଟର ୨’ ର ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ଫିଲ୍ମର ସବୁ କଳାକାରଙ୍କ ଝଲକ୍ ଦେଖିବାକୁ ମିଳିଥିଲା । ଏହାର ଟିଜରରେ ୟଶଙ୍କୁ ନେଇ ଦର୍ଶାଯାଇଥିବା ସ୍ମୋକିଂ ସିନ୍କୁ ଦେଖିବା ପରେ, କର୍ଣ୍ଣାଟକ ହେଲଥ୍ ଡିପାଟମେଂଟ ଅଭିନେତାଙ୍କ ବିରୁଦ୍ଧରେ ଶୋ କଜ୍ ନୋଟିସ୍ ଜାରି କରିଛି ।
ଏହି ସିନ୍ରେ ୟଶ ମେସିନ୍ ଗନ୍ର ଗରମ ବ୍ୟାରେଲରୁ ସିଗାରେଟ୍ ଲଗାଉଛନ୍ତି । ଏହି ସିନ୍କୁ ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଟିଜର ଓ ପୋଷ୍ଟରରେ ସିଗାରେଟ ପିଇବା ପାଇଁ ପ୍ରୋତ୍ସାହିତ କରାଯାଇଛି । ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବା ପାଇଁ ଅପିଲ ମଧ୍ୟ କରାଯାଇଛି । ନୋଟିସ୍ରେ କୁହାଯାଇଛି ଯେ, ଯଦି ଫିଲ୍ମ,ଟିଜର କିମ୍ବା ପୋଷ୍ଟର ଏମିତି କିଛି ଦେଖାଯାଇଛି ତ , ଏହା ସହ ୱାର୍ଣ୍ଣିଂ ବା ଚେତାବନୀ ମଧ୍ୟ ଜାରି କରିବା ଉଚିତ୍ । ‘ଧୂମ୍ରପାନ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ’ ଭଳି ଚେତାବନୀ ଦର୍ଶାଇବା ବାଧ୍ୟତାମୂଳକ । ତେବେ ଏଭଳି କୌଣସି ଚେତାବନୀ ପ୍ରଦର୍ଶନ କରାଯାଇ ନାହିଁ ।
ନୋଟିସ୍ରେ ଲେଖାଯାଇଛି ଯେ,’ୟଶ୍ ଆପଣ ହେଉଛନ୍ତି ଜଣେ ଭଲ ହୃଦୟର ମଣିଷ । ଆପଣଙ୍କର ବହୁତ୍ ଭଲ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି । ଆପଣଙ୍କ ଆକ୍ସନ ଏପରି ହେବା ଉଚିତ୍ , ଯାହା ଯୁବପିଢୀଙ୍କୁ ଭ୍ରମିତ କରିବ ନାହିଁ । ଆମେ ଚାହୁଁଛୁ କି , ଆପଣ ସିଗାରେଟ୍ ପିଇବା ବିରୁଦ୍ଧରେ ଆମ ଅଭିଯାନରେ ସାମିଲ ହୁଅନ୍ତୁ ‘ । ୟଶଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।