
ଅର୍ଗସ ବ୍ୟୁରୋ: ଏସ୍ଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ ଆର୍ଆର୍ଆର୍ ନିକଟରେ ଫିଲ୍ମର `ନାଟୁ ନାଟୁ’ ଗୀତ ପାଇଁ ଶ୍ରେଷ୍ଠ ମୂଳ ସଙ୍ଗୀତ ବିଭାଗରେ ଗୋଲଡେନ ଗ୍ଲୋବ ପୁରସ୍କାର ମିଳିଛି। ଗୀତରେ ଫିଲ୍ମର ମୁଖ୍ୟ ନାୟକ ରାମଚରଣ ଓ ଜୁନିୟର ଏନଟିଆରଙ୍କ ନୃତ୍ୟକୁ ବିଶ୍ବସ୍ତରରେ ଆଦୃତି ମିଳିଛି। ତେବେ ଏହି ଗୀତ ପଛରେ ଅନେକ କାହାଣୀ ରହିଛି। ଏହାକୁ ପରଦାରେ ନିଖୁଣ ଭାବେ ପ୍ରଦର୍ଶନ କରିବାପାଇଁ ଉଭୟ ରାମଚରଣ ଓ ଜୁନିୟର ଏନ୍ଟିଆରଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିଥିଲା। ନୃତ୍ୟ ଅଭ୍ୟାସରେ ଉଭୟଙ୍କର ଭରପୁର ବଳ ଖର୍ଚ୍ଚ ହୋଇଥିଲା।
`ନାଟୁ ନାଟୁ’ ଗୋଲଡେନ ଗ୍ଲୋବ ଜିତିବାପରେ ରାମଚରଣ କହିଛନ୍ତି, ଗୀତ ଅଭ୍ୟାସରେ ମାତ୍ର ୬ଦିନରେ ଉଭୟଙ୍କର ୪କିଲୋ ଓଜନ କମିଯାଇଥିଲା। ଏହି ହାଇ-ଏନର୍ଜି ଗୀତର ପ୍ରତ୍ୟେକ ଷ୍ଟେପ ମିଳାଇବା ଉଭୟ ରାମଚରଣ ଓ ଜୁନିୟର ଏନ୍ଟିଆରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିବା। ଗୀତରେ ଥିବା ଷ୍ଟେପ ଯୋଗୁ ତାଙ୍କ ଆଣ୍ଠୁ ଜମା ସ୍ଥିର ହୋଇ ରହିଲା ନାହିଁ ବୋଲି ଏକ ଇଣ୍ଟରଭ୍ୟୁରେ ରାମଚରଣ କହିଛନ୍ତି। ସେ କହିଛନ୍ତି ଗୀତର ରିହରର୍ସଲ ଲାଗି ଆମକୁ ୬ଦିନ ଲାଗିଥିଲା। ଏଥିରେ ମୋର ୪କିଲୋ ଓ୍ବେଟ ଲସ ହୋଇଯାଇଥିଲା। ଜୁନିୟର ଏନ୍ଟିଆରଙ୍କ ୩କିଲୋ ଓଜନ କମିଥିଲା। ଏହି ଗୀତ ବିଷୟରେ ଯେତେବେଳେ କଥା ହୁଏ ମୋ ଆଣ୍ଠୁ ଦୋହଲିଯାଏ। ଜୁନିୟର ଏନ୍ଟିଆର ଏବଂ ମୋର ଭିନ୍ନ ଦକ୍ଷତା ଓ ଷ୍ଟାଇଲ ରହିଛି। ଗୀତର କୋରିଓଗ୍ରାଫି କଷ୍ଟ ନ ଥିଲା। ଆମେ ଆହୁରି ଜଟିଳ ନୃତ୍ୟ କରିଛୁ। କାହାଣୀ ପାଇଁ ଏହି ନୃତ୍ୟର ଆବଶ୍ୟକତା ଥିଲା। ଦୁଇଟି ଶରୀରକୁ ଆମକୁ ଗୋଟିଏ ରୂପେ ଦେଖାଇବାର ଥିଲା। ଆମକୁ ପ୍ରତ୍ୟେକ ଷ୍ଟେପକୁ ସିଙ୍କ୍ରୋନାଇଜ କରିବାକୁ ପଡ଼ିଥିଲା। ଏହାଥିଲା ରାଜାମୌଲିଙ୍କ ଷ୍ଟାଇଲ।
