ମୁମ୍ବାଇ : ଆରପାରିରେ ବଲିଉଡ ଅଭିନେତା ସନ୍ଦୀପ୍ ନାହାର । କେସରୀ, ଏମ୍ଏସ୍ ଧୋନି ଭଳି ହିଟ ଫିଲ୍ମରେ ନିଜ ଅଭିନୟର ଜଲ୍ୱା ଦେଖାଇଥିବା ସନ୍ଦୀପ୍ ନାହାର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଫେସବୁକ୍ ଆକାଉଂଟରେ ମାଧ୍ୟମରେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି କହିଥିଲେ ।
୧୫ ଫେବୃୟାରୀ (ସୋମବାର) ସେ ଆତ୍ମହତ୍ୟା କରିବା ନେଇ ଏକ ପୋଷ୍ଟ ସେୟାର କରିଥିଲେ । ସେ ସେଥିରେ କହିଥିଲେ ଯେ, ମତେ ଆପଣମାନେ କିଛି ଫିଲ୍ମରେ ଦେଖିଥିବେ । ମୁଁ ସମସ୍ତଙ୍କ ପ୍ରିୟ ଚଳଚିତ୍ର ଏମ୍ଏସ୍ ଧୋନିରେ ଛୋଟୁ ଭାୟା କ୍ୟାରେକ୍ଟରରେ ନଜର ଆସିଥିଲି । ଆଜି ଏହି ଭିଡିଓ ଏଥିପାଇଁ ପୋଷ୍ଟ କରୁଛି ଯେ, ମୋ ଜୀବନରେ ଅନେକ୍ ଅସୁବିଧା ଚାଲିଛି । ଏସବୁ ଭିତରେ ମୋ ମାନସିକ ସ୍ଥିତି ଠିକ୍ ନାହିଁ । ମୁଁ ମୋ ପତ୍ନୀଙ୍କୁ ଅନେକ୍ ଥର ବୁଝାଇଛି । ହେଲେ ସେ ବୁଝୁନାହାଁନ୍ତି । ସେ ସବୁବେଳେ ମୋ ସହ ଝଗଡା କରି ଆତ୍ମହତ୍ୟା କରି ମତେ ଫସେଇ ଦେବାକୁ କହୁଛି ।
ମୁମ୍ବାଇ ପୁଲିସ ଖବର ଅନୁଯାୟୀ, ସନ୍ଦୀପ୍ ମୁମ୍ବାଇର ଗୋରେଗାଉଁ ସ୍ଥିତ ନିଜ ବାସଭବନରେ ଜୀବନ ହାରିଛନ୍ତି । ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତାଙ୍କ ଆତ୍ମହତ୍ୟା ଖବର ପାଇବା ପରେ ଚଳଚିତ୍ର ଜଗତରେ ଖେଳି ଯାଇଛି ଶୋକର ଛାୟା ।