ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ ଜମାଇଥିଲେ । ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଜି ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ମୁକ୍ତ ହୋଇଛନ୍ତି । ଶୁକ୍ରବାର ଅଲ୍ଲୁ ଅର୍ଜୁନଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ଚିକ୍କଡ଼ପଲ୍ଲୀ ଥାନା ପୋଲିସ । ନାମପଲ୍ଲୀ କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାନ୍ଧୀ ହସ୍ପିଟାଲ ନିଆଯାଇଥିଲା।
ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରିଥିଲେ ନାମପଲ୍ଲୀ କୋର୍ଟ। ଅଲ୍ଲୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ବିଚାରପତି। ତେବେ ଜାମିନ ଖାରଜ ହେବା ପରେ ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅଲ୍ଲୁଙ୍କ ଓକିଲ। ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିବା ସୂଚନା ମିଳିଛି ।
ଡିସେମ୍ବର ୪ର ସତ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ପାଇଁ ପାଇଁ ସନ୍ଧ୍ୟା ସିନେମା ହଲ ଘଟଣାର ଦୁଇ ଦିନ ପୂର୍ବରୁ ପୋଲିସଠାରୁ ସୁରକ୍ଷା ମଗାଯାଇଥିଲା, ଯେଉଁଥିରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହି ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭଇରାଲ ହେଉଛି। ଯେଉଁଥିରେ ସନ୍ଧ୍ୟା ସିନେମା ହଲ ଡିସେମ୍ବର ୨ ରେ ପୋଲିସକୁ ଏକ ଚିଠି ଲେଖିଥିଲା । ଏଥିରେ ଡିସେମ୍ବର ୪ ପାଇଁ ସୁରକ୍ଷା ମଗାଯାଇଥିଲା। କିନ୍ତୁ ହାଇଦ୍ରାବାଦ ପୋଲିସ ପ୍ରିମିୟର ପାଇଁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି କହିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର