ସେମାନଙ୍କୁ ବି ପ୍ରେମ ହୋଇଥିଲା। ହେଲେ ଏଇ ଭଲ ପାଇବା ଗାଢ ହେଲା ବେଳକୁ ଜଣେ ଜଣଙ୍କ ହାତ ଛାଡିଦେଲା। ଅଧୁରା ରାହିଗଲା ପ୍ରେମ କାହାଣୀ। ସିଙ୍ଗଲରୁ କମିଟେଡ୍ ଆଉ କମିଟେଡରୁ ପୁଣି ସିଙ୍ଗଲ ହୋଇଯାଇଥିଲେ ସେମାନେ। ଜୀବନକୁ ଅଧା ଭୋଗି ଛାଡିଯାଇଥିବା ବଲିଉଡର ସେମିତି କିଛି ପ୍ରେମୀଯୁଗଳଙ୍କ ବିଷୟରେ ଆସନ୍ତୁ ଜାଣିବା।
ସିଦ୍ଧାର୍ଥ ଶୁକ୍ଳା ଟେଲି ଦୁନିଆର ଗୋଟିଏ ଚର୍ଚ୍ଚିତ ନାଁ। ୨ ଦିନ ତଳେ ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆ ଛାଡିଛନ୍ତି। ୧୨ ଡିସେମ୍ବର ୧୯୮୦ରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ଜଣେ ଭଲ ବିଜନେସମ୍ୟାନ ହେବାକୁ ଆଶା ରଖି ପାଲଟି ଯାଇଥିଲେ ଅଭିନେତା। ବାଲିକା ବଧୂର ଶିବ୍ ଚରିତ୍ରରୁ ଢେର ଭଲ ପାଇବା ସାଉଣ୍ଟିଥିବା ସିଦ୍ଧାର୍ଥଙ୍କୁ ଲୋକପ୍ରିୟତା ଦେଇଥିଲା ବିଗବସ୍ । ଏଇଠି ହିଁ ଶେହନାଜ ଗିଲଙ୍କ ସହିତ ଘନିଷ୍ଠ ବନ୍ଧୁତା ହୁଏ । କିଏ କହୁ କି ନ କହୁ ଏ ବନ୍ଧୁତା ପ୍ରେମର ରୂପ ନିଏ ବୋଲି ଖବର ଉଡେ ବି-ଟାଉନରେ। ସିଦ୍ଧାର୍ଥ ଓ ଶେହନାଜଙ୍କ ଯୋଡିକୁ ପରିଚୟ ମିଳେ ସିଦନାଜ ଭାବେ। ଏଇ ହାସଟ୍ୟାଗ୍ ହିଁ କୁହେ ଦୁହିଁଙ୍କ ପ୍ରେମର କଥା।
ଦୁହିଁଙ୍କ ସମ୍ପର୍କ ଏତେ ମଜବୁତ୍ ଥିଲା ଯେ, ପ୍ରତି କଥାରେ ଦୁହେଁ ଦୁହିଁଙ୍କୁ ଖୋଜୁଥିଲେ । ଏକାଠି ମିଶି କିଛି ପ୍ରୋଜେକ୍ଟରେ କାମ ମଧ୍ୟ କରିଥିଲେ । କିନ୍ତୁ ଏହି ପ୍ରେମର କଥା ଦୁହିଁଙ୍କ ମୁହଁରୁ ଶୁଣିବା ଆଗରୁ ହାର୍ଟ ଆଟାକରେ ନିରବୀ ଯାଆନ୍ତି ସିଦ୍ଧାର୍ଥ। ସିଦନାଜ ହାସଟ୍ୟାଗ୍ ତୁଟିଯାଏ। ଅଧାରେ ରହିଯାଏ ଉଭୟଙ୍କ ପ୍ରେମ କାହାଣୀ।
ସେମିତି ଆଉଜଣେ ହତଭାଗା ପ୍ରେମିକ ସୁଶାନ୍ତ ସିଂ ରାଜପୁତ୍। ଖୁବ୍ କମ୍ ଦିନରେ ବଲିଉଡରେ ଏକ ଚିହ୍ନା ଚେହେରା ପାଲଟିଥିଲେ ସ୍ବର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ଅଭିନୟ କ୍ଷେତ୍ରରେ ଅନେକ ସଫଳତା ପାଇଥିବା ସୁଶାନ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ପ୍ରେମରେ ପଡନ୍ତି । ପ୍ରେମ ରାଇଜରେ ବେଶ ହସ, ଖୁସିରେ ଉଡି ବୁଲୁଥିଲା ବେଳେ, ମୃତ୍ୟୁ କାଳ ଛଞ୍ଚାଣ ଭଳି ମାଡି ଆସେ । ୧୪ ଜୁନ ୨୦୨୦ରେ ଶୁଣିବାକୁ ମିଳେ, ସୁଶାନ୍ତ ଆଉ ଏ ଦୁନିଆଁରେ ନାହାଁନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ଏହାପରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଖୋଜା ଚାଲେ। ଆଉ ଏହାରି ଭିତରେ ଅପହୃତ ହୋଇଯାଏ ରିୟା-ସୁଶାନ୍ତଙ୍କ ପ୍ରେମ କାହାଣୀ ।