ଆବଶ୍ୟକ ସାମଗ୍ରୀ-
ବାଇଗଣ, ସୋରିଷ ତେଲ, ଗ୍ରୀନ୍ ମଟର, ଧନିଆ ପତ୍ର, ବଟର, ପିଆଜ, ରସୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, କସ୍ତୁରୀ ମେଥି, ଗରମ ମସଲା, ଭଜା ଜିରା ଗୁଣ୍ଡ, ଗୋଟା ଜିରା, ଗୋଟା ଧନିଆ, ହିଙ୍ଗୁ, ଟମାଟୋ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ବାଇଗଣକୁ ଧୋଇ ମଝିରୁ କାଟି ବାଇଗଣକୁ ଭଲଭାବେ ଦେଖିବେ, ଏହାପରେ ବାଇଗଣକୁ ଗ୍ରେଡ୍ କରି ଏକ ପାତ୍ରରେ ରଖିବେ । ତା ପରେ ଆଉ ଏକ ପାତ୍ରରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, କସ୍ତୁରୀ ମେଥି ଓ ଭଜା ଜିରା ଗୁଣ୍ଡ ପକାଇ, ସେଥିରେ ଅଳ୍ପ ପାଣି ମିଶାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ, ସେଥିରେ ଗୋଟା ଜିରା, ଗୋଟା ଧନିଆ, ହିଙ୍ଗୁ ଏବଂ ଛୋଟଛୋଟ କଟା ହୋଇଥିବା ରସୁଣ ପକାଇ ଫ୍ରାଏ କରିବେ । ଦେଖିବେ ରସୁଣ ଫ୍ରାଏ ହୋଇ ଆସିଲେ , ସେଥିରେ କଟା ହୋଇଥିବା ପିଆଜ ପକାଇ ଭାଜିବେ । ପିଆଜ ଗୋଲ୍ଡେନ୍ କଲର ହୋଇ ଆସିଲେ, ସେଥିରେ କଂଚା ଗ୍ରୀନ୍ ମଟର ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ମସଲା ପକାଇ ଗୋଳାଇବେ । କିଛି ସମୟ ଗୋଳାଇବା ପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ମିକ୍ସ କରିବେ । ଅଳ୍ପ ସମୟ ଏହା କଷି ହେବାପରେ ସେଥିରେ ଗ୍ରେଡ୍ କରି ରଖିଥିବା ବାଇଗଣ ପକାଇ ଗୋଳାଇବେ । ତାପରେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ର ଆଂଚକୁ କମ୍ କରି କଡେଇରେ ଘୋଡଣୀ ଘୋଡେଇ ୧ ରୁ ୨ ମିନିଟ ଯାଏଁ ଛାଡିବେ । ଏହାପରେ ଘୋଡଣୀ କାଢି ସେଥିରେ ବଟର ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା ଧନିଆ ପତ୍ର ଗୋଳାଇବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ଝଟ୍ପଟ୍ ବଟର୍ ବାଇଗଣ । ଏବେ ଗରମ ଗରମ ରୋଟି ବା ପରଟା ସହିତ ଏହାର ମଜା ନେଇ ପାରିବେ ।