ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି କି, କ୍ଷେତରେ ରୋଗ ପୋକ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଆଉ ସ୍ଥିତି ଏମିତି ହେଲାଣି ଯେ ଫସଲକୁ ରୋଗ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଷୀ ବିଭିନ୍ନ ରସାୟନିକ ଔଷଧ ପକାଉଛନ୍ତି ଚାଷୀ । ଯାହାଦ୍ଵାରା ପୋକ ତ ମରୁଛନ୍ତି ସତ ହେଲେ ସବୁଜ ପରିବାରେ ରସାୟନିକ ଦ୍ରବ୍ୟର ରିୟାକ୍ସନ ହେଉଛି । ମଣିଷ ଶରୀରରେ ଅନେକ ରୋଗହ ବାହାକ ସାଜୁଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଫସଲରୁ ରସାୟନିକ ବିଷର ପ୍ରଭାବ ଯିବା ପୂର୍ବରୁ ଚାଷୀ ପରିବା ତୋଳି ବଜାରରେ ବିକ୍ରି କରୁଛନ୍ତି । ଯାହାକୁ ଖାଇବା ପରେ ଆମେ ଝାଡ଼ା, ବାନ୍ତି, ମୁଣ୍ଡବିନ୍ଧା, ଚକ୍ଷୁରୋଗ ଏବଂ କ୍ୟାନ୍ସର ପରି ମାରାମତ୍କ ରୋଗରେ ପଡୁଛନ୍ତି ।
ସାଧାରଣତଃ ଆଳୁକୁ ମୁଖ୍ୟ ପରିବା ଭାବରେ ବିବେଚନା କରାଯାଏ । ମାଟିରେ ଆଳୁ ଫଳିବା ପରେ ଉଇ ଓ ଅନ୍ୟ ପୋକ ଆଳୁକୁ କଣା କରି ନଷ୍ଟ କରିଦିଅନ୍ତି । ଏହି ପୋକର ଆକ୍ରମଣରୁ ଆଳୁକୁ ରକ୍ଷା କରିବା ପାଇଁ ଚାଷୀ ଆଳୁ ଲଗାଇବା ସମୟରେ ମାଟିରେ ଏକର ପିଛା ୧୦ରୁ ୧୨ କିଲୋଗ୍ରାମ ଆଲଡ୍ରିନ କିମ୍ବା କ୍ଲୋରୋପାଇରିଫସ ଗୁଣ୍ଡ ପ୍ରୟୋଗ କରିଥାନ୍ତି । ସେହି ବିଷାକ୍ତ ଦ୍ରବ୍ୟର ଅବଶିଷ୍ଟାଂଶ ମାଟିରେ ଦୀର୍ଘ ଦିନ ଧରି ରହେ । ଏହାର କିଛି ଅବଶିଷ୍ଟାଂଶ ଆଳୁରେ ମଧ୍ୟ ରହେ । ତେଣୁ ସେହି ଆଳୁ ଖାଇବାଦ୍ବାରା ଆମେ ରୋଗାକ୍ରାନ୍ତ ହେବାର ଆଶଙ୍କା ଥାଏ।
ସେହିପରି ଛୁଇଁ ଜାତୀୟ ଫସଲ ଯଥା ବିନ୍ସ, ଶିମ୍ବ, ମଟର, ସଜନା ଆଦିର ପତ୍ର, ଡାଳ ଏବଂ ଫଳରେ ଜଉ ପୋକ ଲାଗିଥାନ୍ତି । ସେହି ପୋକ ପତ୍ର ଏବଂ ଫଳର ସବୁଜ ଅଂଶକୁ ଶୋଷି ଫସଲର କ୍ଷତି କରିଥାନ୍ତି । ପୋକର ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀ ମାତ୍ରାଧିକ ଭାବରେ ମେଟାସିଷ୍ଟକ୍ କିମ୍ବା ଏଣ୍ଡୋସଲ୍ଫାନ୍ ପରି ତରଳ ବିଷକୁ ସେହି ଗଛର ପତ୍ରରେ ଛିଞ୍ଚିଥାନ୍ତି । ସେହି ବିଷର ପ୍ରଭାବ, ଫସଲରେ ୧୫ ରୁ ୧୮ ଦିନ ପର୍ଯ୍ୟନ୍ତ ରହେ । ଏହି ସମୟ ମଧ୍ୟରେ ପରିବା ତୋଳି ଖାଇଲେ ଆମେ ଅସୁସ୍ଥ ହେବାର ସମ୍ଭାବନା ଥାଏ । ଏହିପରି ପ୍ରାୟ ସମସ୍ତ ଫସଲରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶିଥାଏ । ଯାହାଦ୍ବାରା ଦେହ ଅସୁସ୍ଥ ହେବାର ସମ୍ଭାବନା ଥାଏ ।
ଚାଷୀ ପରିବା ଫସଲରେ ପୋକ ତଥା ରୋଗ ନିୟନ୍ତ୍ରଣ ପାଇଁ ପ୍ରୟୋଗ ରସାୟନିକ ବିଷର ଠିକ୍ ମାତ୍ରା କୃଷି ବିଶେଷଜ୍ଞଙ୍କଠାରୁ ବୁଝି ନେବା ଉଚିତ୍ । କେଉଁ ପ୍ରକାର ରସାୟନିକ ଔଷଧର ବିଷ ପ୍ରୟୋଗ ପରେ ଏହାର ବିଷାକ୍ତ ପ୍ରଭାବ ପରିବାରେ କେତେ ଦିନ ପର୍ଯ୍ୟନ୍ତ ରହୁଛି ତାହା ଜାଣିବା ଉଚିତ୍ । ସେହି ନିର୍ଦ୍ଦିଷ୍ଟ ଦିନ ପରେ ପରିବା ତୋଳି ଖାଇବା ଏବଂ ବଜାରରେ ବିକ୍ରି କରିବା ଉଚିତ୍ ।
ବଜାରରୁ ପରିବା କିଣି ଏହାକୁ ସତେଜ ରଖିବା ପାଇଁ ଫ୍ରିଜରେ ରଖିବା ପୂର୍ବରୁ ବିଶୁଦ୍ଧ ପାଣିରେ ଦୁଇରୁ ତିନି ଥର ଧୋଇ ରଖିବା ଉଚିତ । ଏହାଦ୍ୱାରା ପରିବାରେ ରହିଥିବା କିଛି ବିଷ ଅଂଶ ଧୋଇହୋଇଯାଏ । ପରିବାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଶତକଡ଼ା ୮ ରୁ ୧୦ ଭାଗ ଲୁଣପାଣିରେ ୧୫ ରୁ ୨୦ ମିନିଟ୍ ବୁଡ଼ାଇ ପରିଷ୍କାର ପାଣିରେ ଧୋଇଲେ ପରିବାରେ ଥିବା ବିଷ ଭାଗ ନଷ୍ଟ ହୁଏ । ଦ୍ୱିତୀୟରେ ତୋଳା ପରିବାକୁ ପାଣିରେ ଧୋଇ ୧୦% ହଳଦୀ ପାଣିରେ ୧୫ ରୁ ୨୦ ମିନିଟ୍ ବୁଡ଼ାଇଲେ ପରିବାରୁ ବିଷ ଅଂଶ ଦୂର ହେବ । ତୃତୀୟରେ ୪ ରୁ ୫ ଭାଗ ଖାଇବା ସୋଢାରେ ୫ ରୁ ୬ ମିନିଟ୍ ବୁଡ଼ାଇ ପରିଷ୍କାର ପାଣିରେ ଧୋଇଲେ ପରିବାରୁ ଅନେକ ବିଷ ଭାଗ ଦୂର ହେବ। ଚତୁର୍ଥରେ ୧୦% ଅର୍ଥାତ୍ ୧୦୦ ମିଲିଲିଟର ଭିନେଗାରକୁ ଏକ ଲିଟର ପାଣିରେ ମିଶାଇ ସେଥିରେ ପରିବାକୁ ୫ରୁ ୬ ମିନିଟ୍ ରଖିବା ପରେ ଧୋଇ ରୋଷେଇ କଲେ ପରିବାରେ ଥିବା ବିଷ ଭାଗ ସମ୍ପୂର୍ଣ୍ଣ ଦୂର ହେବ।
ଅଧିକ ପଢନ୍ତୁ ସ୍ବାସ୍ଥ୍ୟ ଖବର.