ପାକିସ୍ତାନର ବିଜୁଳି ମନ୍ତ୍ରଣାଳୟ ନିଜେ ଟ୍ୱିଟ କରି ଏହି ବିଜୁଳି ଯୋଗାଣ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି – ପ୍ରାରମ୍ଭିକ ରିପୋର୍ଟରେ ସୋମବାର ସକାଳ 7.34 ମିନିଟରେ ନ୍ୟାସନାଲ ଗ୍ରିଡର ସିଷ୍ଟମ ଫ୍ରିକ୍ୟୁନ୍ସି କମ ହୋଇଯାଇଥିଲା । ଏହାର ଫଳ ସ୍ୱରୂପ ବିଜୁଳି ବ୍ୟବସ୍ଥା ଖରାପ ହୋଇଯାଇଛି । ଏହାକୁ ଠିକ କରିବାକୁ ପ୍ରଚେଷ୍ଟା ଜାରୀ ରହିଛି ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନର କ୍ବେଟା, ଲାହୋର, କରାଚୀ, ପେଶାବର ସମେତ ଦେଶର ଅନ୍ୟ ପ୍ରମୁଖ ସହର ମାନଙ୍କରେ ବିଜୁଳି ଯୋଗାଣ ବନ୍ଦ ରହିଛି । ଏହି ସହର ମାନଙ୍କରେ ବିଜୁଳି ଯୋଗାଣ ଠପ ହୋଇଯାଇଥିବାରୁ ସେଠାରେ ସମସ୍ତ କାମ ଏକ ପ୍ରକାର ବନ୍ଦ ହୋଇଯାଇଛି ।
ଅନ୍ୟ ପକ୍ଷରେ ପାକିସ୍ତାନର ବିଜୁଳି ମନ୍ତ୍ରୀ ଖୁରମ ଦସ୍ତଗୀର କହିଛନ୍ତି ଯେ ପାକିସ୍ତାନ ପୂର୍ବରୁ ବିଜୁଳିର ଅଭାବ ରହିଥିଲା । ତେଣୁ ପାକିସ୍ତାନ ସରକାର ବିଜୁଳି ବଂଚାଇବାକୁ ଯାଇ ରାତ୍ରିରେ ବିଜୁଳି ଉତ୍ପାଦନ ୟୁନିଟ ଗୁଡିକୁ ବନ୍ଦ କରି ଆସୁଥିଲୁ । ସୋମବାର ସକାଳ 7.30 ମିନିଟରେ ଯେତେବେଳେ ଆମେ ସିଷ୍ଟମ ଚାଲୁ କରିବା ଆରମ୍ଭ କରିଥିଲୁ ସେତେବେଳେ ବେଳେ ଦେଶର ଦକ୍ଷିଣ ଭାଗରେ ଜମଶୋରୋ ଓ ଦାଦୁ ମଧ୍ୟରେ ଲାଇନରେ ସମସ୍ୟା ଦେଖା ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ସିଷ୍ଟମ ବନ୍ଦ ହେବାକୁ ଲାଗିଥିଲା ।
ବିଦେଶୀ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରେ ଏହି ବିଜୁଳି ସଂକଟ କାରଣରୁ ସୋମବାର ଦିନ ପାକିସ୍ତାନର ପାଖାପାଖି 22 କୋଟି ଲୋକ ବିନା ବିଜୁଳିରେ ରହିବାକୁ ବାଧ୍ୟ ହୋଇଥିଲେ । କାଙ୍ଗାଳ ହେବା ଆଡକୁ ଅଗ୍ରସର ହେଉଥିବା ପାକିସ୍ତାନରେ କେତେ ମାତ୍ରାରେ ବିଜୁଳି ସଂକଟ ରହିଛି ତାର ଅନୁମାନ ଏହି କଥାରୁ କରାଯାଇ ପାରେ ଯେ ଏହି ମାସର ଆରମ୍ଭରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସମସ୍ତ ବିଭାଗକୁ ବିଜୁଳି ଖର୍ଚ କମ କରିବାକୁ ନିର୍ଦେଶ ଦେଇଥିଲେ । ବିଜୁଳି ବଂଚାଇବାକୁ ଯାଇ ପାକିସ୍ତାନର ସମସ୍ତ ରେଷ୍ଟୁରାଣ୍ଟକୁ ରାତ୍ରି 10.30 ମିନିଟରେ ତଥା ଦୋକାନ ଓ ମଲ୍ ଗୁଡିକୁ ରାତ୍ରୀ 8.30 ମିନିଟରେ ବନ୍ଦ କରିବାକୁ ସରକାର ନିର୍ଦେଶ ଦେଇ ସାରିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ