ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଅବଦୁଲ ମୁହାରିଙ୍କ ସୂଚନା ଅନୁସାରେ ଜ୍ୱାଳାମୁଖୀର ପ୍ରବଳ ଧୂଆଁ ଆଖପାଖ ଅନେକ ଗାଁକୁ ଆଚ୍ଛାଦିତ କରିଦେଇଛି । କଳା ଧୂଆଁରେ ଆକାଶରେ କଳା ବାଦଲ ସୃଷ୍ଟି ହୋଇଛି । ସବୁଆଡେ ଅନ୍ଧାର ଘୋଟି ଯାଇଛି । ସ୍ଥିତି ଏପରି ହୋଇଛି ଯେ ଦିନରେ ବି ଲୋକେ ଲାଇଟ୍ ଜଳାଉଛନ୍ତି । ଏହି ଜ୍ୱାଳାମୁଖୀ ଫାଟିବା ଫଳରେ ଗରମ ଗ୍ୟାସ୍ ଓ ଲାଭା ୮ କି.ମି. ପର୍ଯ୍ୟନ୍ତ ମାଡ଼ି ଆସିଥିଲା । ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୨୦ କି.ମି. ଦୂରରେ ଏକ ସ୍କୁଲରେ ଆଶ୍ରୟ ନେଇଛନ୍ତି ଲୋକେ । ଏହି ଜ୍ୱାଳାମୁଖୀର ରେଡ୍ ଜୋନ୍ରେ ରହିଛି ୩ ହଜାର ଘର । ସମସ୍ତ ପରିବାରକୁ ସ୍ଥାନାନ୍ତର କରାଯାଇଛି । ଧୂଆଁର ବାଦଲ ପ୍ରାୟ ୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ଯାଇଛି । ପାହାଡରୁ ନିର୍ଗତ ହେଉଥିବା ଲାଭା ବେସୁକ କୋବୋକାନ ନଦୀ ପାଣିରେ ମିଶିଛି ।
ରାଜଧାନୀ ଜାକର୍ତ୍ତା ଠାରୁ ୮୦୦ କି.ମି. ଦୂର ଦକ୍ଷିଣ-ପୂର୍ବ ଜାଭା ଦ୍ୱୀପରେ ରହିଛି ମାଉଣ୍ଟ ସେମେରୋ । ଜାଭାରେ ଅନେକ ସକ୍ରିୟ ଜ୍ୱାଳାମୁଖୀ ରହିଛି । କିନ୍ତୁ ମାଉଣ୍ଟ ସେମେରୋ ସେଥିମଧ୍ୟରେ ସବୁଠାରୁ ଉଚ୍ଚ ଓ ବିପଜ୍ଜନକ ଜ୍ୱାଳାମୁଖୀ । ପୃଥିବୀରେ ୧୫୦୦ ସକ୍ରିୟ ଜ୍ୱାଳାମୁଖୀ ରହିଛି । କେବଳ ଇଣ୍ଡୋନେସିଆରେ ୧୨୧ ସକ୍ରିୟ ଜ୍ୱାଳାମୁଖୀ ଅଛି । ଯେଉଁଥିରୁ ୭୪ଟି ପ୍ରାୟ ୧୮୦୦ ମସିହାରୁ ସକ୍ରିୟ ରହିଛି । ଅର୍ଥାତ ଏସବୁରେ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ଘଟିପାରେ । ୭ଟି ଜ୍ୱାଳାମୁଖୀରୁ ଗତ ଅଗଷ୍ଟ ମାସରୁ ଲାଭା ଓ ଧୂଆଁ ବାହାରିବାରେ ଲାଗିଛି । ସେଗୁଡିକ ମଧ୍ୟରେ ରହିଛି କ୍ରାକଟାଉ, ମେରାପି, ଲୋବୋଟୋଲୋକ, କାରାଙ୍ଗେଟାଙ୍ଗ, ସେମେରୁ, ଇବୁ ଏବଂ ଡୁକୋନୋ । ଗତବର୍ଷ ମଧ୍ୟ ମାଉଣ୍ଟ ସେମେରୋ ବିସ୍ଫୋରଣ ହୋଇଥିଲା । ଗରମ ଗ୍ୟାସ୍ ଓ ନିଆଁ ଯୋଗୁ ୫୧ ଜଣ ପ୍ରାଣ ହରାଇଥିଲେ । ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।
ବିଦେଶ ଖବର ଆହୁରି ପଢନ୍ତୁ