ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ କୃଷି ବିଲକୁ ବାଇଡେନ ସରକାରଙ୍କ ସମର୍ଥନ । ବିଲର ରିଫର୍ମକୁ ବାଇଡେନଙ୍କ ସମର୍ଥନ । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ଆମେରିକାର ମଧ୍ୟ ଏହି ପ୍ରସଙ୍ଗରେ ଏକ ପ୍ରତିକ୍ରିୟା ଦିଆଯାଇଛି। ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କର ସରକାର ଭାରତ ସରକାରଙ୍କ କୃଷି ବିଲ ର ରିଫର୍ମକୁ ସମର୍ଥନ କରିବା ସହିତ ଏହି ବିଲ ଦେଶର କୃଷକଙ୍କ ଉନ୍ନତି ପାଇଁ ବୋଲି କହିଛନ୍ତି । ଏହା ଭାରତ ବଜାରର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବ ଏବଂ ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଭାରତରେ ଚାଲିଥିବା ବିରୋଧ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଭାରତର ପଦକ୍ଷେପକୁ ସ୍ୱାଗତ କରୁଛି।
ଏହି କୃଷି ବିଲ୍ ଭାରତୀୟ ବଜାରକୁ ଶକ୍ତ କରିବ। ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ୱାଶିଂଟନ୍ ସ୍ବୀକାର କରିଛି ଯେ ଶାନ୍ତିପୂର୍ଣ୍ଣ ବିରୋଧ ହେଉଛି ଯେ କୌଣସି ସମୃଦ୍ଧ ଗଣତନ୍ତ୍ରର ସଙ୍କେତ। ଯଦି କୌଣସି ମତଭେଦ ସୃଷ୍ଟି ହୁଏ ତେବେ ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ।
ବର୍ତ୍ତମାନ କୃଷି ବିଲ ଉପରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇ ସାରିଛି। ହେଲେ ଏଯାଏଁ କୌଣସି ସମାଧାନ ହୋଇପାରୁ ନାହିଁ। ଏପରିକି ଜାନୁୟାରୀ 26 ତାରିଖରେ ଚାଷିଙ୍କ ଏହି ଆନ୍ଦୋଳନ ଏକ ହିଂସାତ୍ମକ ରୂପ ନେଇଥିଲା। ଲାଲକିଲାକୁ ଚାଷୀମାନେ ଘେରିଯାଇ କିଛି ସମୟ ପାଇଁ ନିଜ କବଜାକୁ ନେଇ ଯାଇଥିଲେ। ଏହିପରି ପରିସ୍ଥିତିକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି।