ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କରୋନା ଆତଙ୍କ। ଏହି ମହାମାରୀ କବଳରୁ ବର୍ତ୍ତିବା ପାଇଁ ସବୁ ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଲାଗି ପଡ଼ିଥିବା ବେଳେ ଏଥିରେ ସଫଳ ହୋଇଛି ଋଷ। ଏବେ ଋଷର ଏହି ଭ୍ୟାକ୍ସିନ ସ୍ତୁତନିକ ବିକୁ 20 ରୁ ଅଧିକ ଦେଶ ମଗାଇଛନ୍ତି। ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦମିତ୍ରିୱେଙ୍କ କହିବା ଅନୁଯାୟୀ, ପ୍ରାୟ 20ରୁ ଅଧିକ ଦେଶ ଏହି ଭ୍ୟାକ୍ସିନର କୋଟି କୋଟି ଡୋଜ ମଗାଇଛନ୍ତି। କିରିଲଙ୍କ କହିବା ଅନୁଯାୟୀ, ଲାଟିନ ଆମେରିକା, ମଧ୍ୟ ପୂର୍ବ ଏବଂ କିଛି ଏଶିୟା ଦେଶ ଏହି ଭ୍ୟାକ୍ସିନ ମଗାଇଛନ୍ତି। ତେବେ ବହୁ ଦେଶଙ୍କ ସହ ଚୁକ୍ତି ମଧ୍ୟ ହୋଇ ସାରିଲାଣି। ସେ ଏହା ମଧ୍ୟ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଟ୍ରାୟାଲ ୟୁଏଇ ଏବଂ ସାଉଦୀ ଆରବ ସମେତ ଅନ୍ୟ ଦେଶରେ ହେବ।
କିରିଲଙ୍କ ସୂଚନା ଅନୁଯାୟୀ, ଋଷ ଏବେ ବିଦେଶୀ ସହଯୋଗୀଙ୍କ ସହାୟତାରେ 5ଟି ଦେଶରେ ଭ୍ୟାକ୍ସିନର 50 କୋଟି ଡୋଜ ପ୍ରସ୍ତୁତ କରିବ। ସେ ସମସ୍ତ ଦେଶଙ୍କୁ ଅପିଲ କରିଛନ୍ତି ଯେ, ଉଚ୍ଚ ଗୁଣବତ୍ତା ଏବଂ ସୁରକ୍ଷିତ ଭ୍ୟାକ୍ସିନ ନିଜ ଦେଶବାସିଙ୍କୁ ଦେଇ ସେମାନଙ୍କ ଜୀବନ ବଞ୍ଚାନ୍ତୁ। ସେପଟେ ସ୍ଵାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାସ୍ଖୋ ଦାବି କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କୁ ଟିକା ଥରେ ଲାଗିବ ସେ 2 ବର୍ଷ ଯାଏଁ କରୋନାରୁ ସୁରକ୍ଷିତ ରହିବ। ସେହିପରି ଉପ ପ୍ରଧାନମନ୍ତ୍ରୀ ତାତ୍ୟାନା ଗୋୱିକୋୱା କହିଛନ୍ତି ଯେ, ଡାକ୍ତରମାନଙ୍କୁ ଏହି ଭ୍ୟାକ୍ସିନ ଚଳିତ ମାସରେ ଲଗାଯିବ।
ଋଷ ସରକାରଙ୍କ ସୂତ୍ର ଅନୁଯାୟୀ, ପୁତିନଙ୍କ ସାନ ଝିଅ କ୍ୟାଟ୍ରିନା (33)ଙ୍କୁ ଏହି ଟିକା ପରୀକ୍ଷଣ ଆରମ୍ଭରୁ ଲଗାଯାଇଥିଲା।